ଜଳ, ଜମି, ଜଙ୍ଗଲ ଓ ଜନ୍ତୁ ସୁରକ୍ଷାରେ ଜନସମାଜର ସକ୍ରିୟ ଭୂମିକା ଅପରିହାର୍ଯ୍ୟ…

add-all


ଉଜ୍ଜଳପୁର ବନାଞ୍ଚଳରେ ବିଶ୍ଵ ହାତୀ ଦିବସ ପାଳନ
ସୁନ୍ଦରଗଡ଼ – ୧୨/୦୮/୨୬ ହାତୀ କେବଳ ଜଙ୍ଗଲର ଏକ ବିଶାଳ ବନ୍ୟଜନ୍ତୁ ନୁହେଁ, ଏହା ଜଙ୍ଗଲର ପ୍ରାକୃତିକ ପୁନର୍ଜନନ, ଜୈବ ବିବିଧତା ଓ ପାରିସ୍ଥିତିକ ସନ୍ତୁଳନର ଏକ ଅବିଚ୍ଛିନ୍ନ ଅଂଶ। ହାତୀ ଓ ମଣିଷ ମଧ୍ୟରେ ସହାବସ୍ଥାନ ସୁନିଶ୍ଚିତ କରିବା ସହିତ ହାତୀଙ୍କ ଆବାସସ୍ଥଳୀ ଓ ଚଳାଚଳ ପଥ ସୁରକ୍ଷା ପାଇଁ ସାମୂହିକ ପ୍ରୟାସର ଆହ୍ୱାନ ଦେଇ ସୁନ୍ଦରଗଡ଼ ବନଖଣ୍ଡ ଅଧୀନସ୍ଥ ଉଜ୍ଜଳପୁର ବନାଞ୍ଚଳ ପକ୍ଷରୁ ଟାଙ୍ଗରପାଳି ବ୍ଲକ ସମ୍ମିଳନୀ କକ୍ଷରେ ବନାଞ୍ଚଳସ୍ତରୀୟ ବିଶ୍ୱ ହାତୀ ଦିବସ ଉତ୍ସାହ ଓ ସଚେତନତାର ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି।
ଉଜ୍ଜଳପୁର ବନାଞ୍ଚଳ ଅଧିକାରୀ ଦେବଦତ୍ତ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ବନ ବିଭାଗର କର୍ମଚାରୀ, ବନ ସୁରକ୍ଷା ସମିତି ସଦସ୍ୟ, ସ୍ଥାନୀୟ ଗ୍ରାମବାସୀ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଓ ପ୍ରକୃତିପ୍ରେମୀମାନେ ଯୋଗଦେଇ ହାତୀ ସଂରକ୍ଷଣ ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ସେବକର କମନ ଗ୍ରାଉଣ୍ଡ ପ୍ରକଳ୍ପର ସ୍ନିଗ୍ଧାରାଣୀ ମହାକୁଳ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସଭା କାର୍ଯ୍ୟକୁ ପରିଚାଳନା ଓ ସଂଯୋଜନା କରିଥିଲେ।


କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହାତୀ ସଂରକ୍ଷଣରେ ଜନସାଧାରଣ ଓ ପଞ୍ଚାୟତ ସଂସ୍ଥାର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା କେବଳ ବନ ବିଭାଗର ଦାୟିତ୍ୱ ନୁହେଁ, ବରଂ ସ୍ଥାନୀୟ ସମୁଦାୟର ସକ୍ରିୟ ସହଯୋଗ ଦ୍ୱାରା ହିଁ ଏହାକୁ ଅଧିକ ସୁଦୃଢ଼ କରାଯାଇପାରିବ ବୋଲି ସେ ମତ ରଖିଥିଲେ।
ଟାଙ୍ଗରପାଳି ବ୍ଲକର ବିଡିଓ ବୀରସେନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ହାତୀ ସଂରକ୍ଷଣକୁ ସ୍ଥାନୀୟ ବିକାଶ ଓ ଗ୍ରାମୀଣ ଜୀବନ ସହିତ ସମନ୍ୱିତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମଣିଷ–ହାତୀ ସଂଘର୍ଷ ହ୍ରାସ ପାଇଁ ପଞ୍ଚାୟତ, ପ୍ରଶାସନ, ବନ ବିଭାଗ ଓ ଗ୍ରାମ ସମୁଦାୟ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଆବଶ୍ୟକ ବୋଲି ସେ କହିଥିଲେ।


କାର୍ଯ୍ୟକ୍ରମରେ ପରିବେଶବିତ୍ ତଥା ସ୍ଵେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଗାମ୍ବର ଉପାଧ୍ୟାୟ ଯୋଗଦେଇ “ଜଳ, ଜମି, ଜଙ୍ଗଲ ଓ ଜନ୍ତୁ ସୁରକ୍ଷାରେ ଜନସମାଜର ସକ୍ରିୟ ଭୂମିକା ଅପରିହାର୍ଯ୍ୟ; ଜନସହଭାଗିତା ବିନା ପ୍ରକୃତି ସଂରକ୍ଷଣର ଲକ୍ଷ୍ୟ ସାକାର ହେବ ନାହିଁ। ସେ କହିଥିଲେ, “ହାତୀ କେବଳ ଏକ ବନ୍ୟଜନ୍ତୁ ନୁହେଁ; ଏହା ଜଙ୍ଗଲର ପାରିସ୍ଥିତିକ ସନ୍ତୁଳନର ଏକ ପ୍ରମୁଖ ଅଂଶ।” ହାତୀ ଫଳ ଖାଇ ଦୀର୍ଘ ଦୂର ଚଳାଚଳ କରିବା ସମୟରେ ତାହାର ମଳ ମାଧ୍ୟମରେ ବିଭିନ୍ନ ବୃକ୍ଷର ବୀଜକୁ ଦୂରଦୂରାନ୍ତରେ ପହଞ୍ଚାଇଥାଏ। ଏହା ଜଙ୍ଗଲର ପ୍ରାକୃତିକ ପୁନର୍ଜନନ ଓ ଜୈବ ବିବିଧତା ବଜାୟ ରଖିବାରେ ସହାୟକ ହୋଇଥାଏ। ମଣିଷ–ହାତୀ ସଂଘର୍ଷକୁ କେବଳ ବନ୍ୟଜନ୍ତୁ ସମ୍ବନ୍ଧୀୟ ସମସ୍ୟା ଭାବେ ନଦେଖି ଏହାକୁ ଏକ “ଲ୍ୟାଣ୍ଡସ୍କେପ୍ ମ୍ୟାନେଜମେଣ୍ଟ” ସମସ୍ୟା ଭାବେ ଦେଖିବା ଆବଶ୍ୟକ ବୋଲି ଶ୍ରୀ ଉପାଧ୍ୟାୟ ମତ ଦେଇଥିଲେ।


ସୁନ୍ଦରଗଡ଼ ବନଖଣ୍ଡର ସହକାରୀ ମୁଖ୍ୟ ବନ ସଂରକ୍ଷକ ମାନସ କୁମାର ମୁର୍ମୁ ହାତୀ ସଂରକ୍ଷଣରେ ପଞ୍ଚାୟତ ଓ ଗ୍ରାମ ସମୁଦାୟର ଭୂମିକା ଉପରେ ମତ ରଖିଥିଲେ। ସେ କହିଥିଲେ ଯେ ହାତୀ ସଂରକ୍ଷଣକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଗ୍ରାମସ୍ତରରେ ସଚେତନତା ଓ ସହଯୋଗ ବୃଦ୍ଧି କରିବା ଆବଶ୍ୟକ।
ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଆଶୁତୋଷ ନାଏକ ଯୋଗଦେଇ ହାତୀ ଓ ଅନ୍ୟ ବନ୍ୟଜନ୍ତୁ ସୁରକ୍ଷାରେ ସାଧାରଣ ଲୋକଙ୍କ ସଚେତନତା ଓ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଭାବେ ହାତୀ ଗତିବିଧି ସମୟରେ ଗ୍ରାମବାସୀଙ୍କ ନିରାପତ୍ତା ଓ ସତର୍କତା ପାଇଁ ଟର୍ଚ୍ଚ ଲାଇଟ ବଣ୍ଟନ କରାଯାଇଥିଲା। ଏଥିସହ ଘରେ ଚାଉଳ ସଂରକ୍ଷଣ ପାଇଁ ‘ସିଡ୍ ବିନ୍’ ଡବା ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ପଦକ୍ଷେପ ମାଧ୍ୟମରେ ମଣିଷ–ହାତୀ ସଂଘର୍ଷ ସମୟରେ ଲୋକଙ୍କ ସୁରକ୍ଷା ସହିତ ଖାଦ୍ୟଶସ୍ୟର ସୁରକ୍ଷିତ ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ad-week
Leave A Reply

Your email address will not be published.