
ବାଲିଗୁଡ଼ା : ସ୍ୱାଧୀନତା ଦିବସ-୨୦୨୬ ଅବସରରେ ସୀମା ସୁରକ୍ଷା ବାହିନୀ (ବିଏସଏଫ୍) ୧୩୬ ବାଟାଲିଅନ୍ର ‘ବି’ କମ୍ପାନୀ ପକ୍ଷରୁ ‘ବନ୍ଦେ ମାତରମ୍’ ଥିମ୍ରେ ଏକ ବାଇକ୍ ରାଲି ଆୟୋଜିତ ହୋଇଯାଇଛି। କମ୍ପାନୀ କମାଣ୍ଡର ନିର୍ମଳ ଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ମିଗୁନପଦର ଓ ସାଡିଙ୍ଗିଆ ସ୍ଥିତ କ୍ୟାମ୍ପ ରୁ ଏହି ରାଲି ବାହାରି ମିଗୁନପଦର, ବୁଡ଼ିଗୁଡ଼ା, ବାଇଦିପଦର, ସୁର୍ଖାପଙ୍ଗା, ସମରନ୍ଧା, ଦାମନପଦର, ସିଙ୍ଗାବାଲି, କୋଟାପଙ୍ଗା, ସାଡିଙ୍ଗିଆ ହାଟପଦର, ରେବିଲାଡ଼ା, ଗାଡ଼ରପଦର ବାଲିଗୁଡା ର ସମଗ୍ର ସହର ପରିକ୍ରମା କରି ପୁଣି ମିଗୁନପଦର କ୍ୟାମ୍ପକୁ ଫେରିଥିଲା।
ଏହି ରାଲିରେ ବିଏସଏଫ୍ର ଜଣେ ଅଧିକାରୀ, ୫ ଜଣ ଏସ୍ଓଏସ୍ ଏବଂ ୨୨ ଜଣ ଅନ୍ୟ ପଦାଧିକାରୀଙ୍କ ସମେତ ମୋଟ ୨୮ ଜଣ ଜବାନ ଅଂଶ ଗ୍ରହଣ କରିଥିଲେ। ଏଥିସହ ୩୦ ଜଣ ସ୍ଥାନୀୟ ନାଗରିକ ମଧ୍ୟ ରାଲିରେ ସାମିଲ ହୋଇଥିଲେ। ରାଲି ସମୟରେ ଜବାନ ମାନଙ୍କ ମଧ୍ୟରେ ଉଚ୍ଚ ମନୋବଳ ଓ ଦେଶପ୍ରେମର ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ବିଭିନ୍ନ ଗ୍ରାମରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ମଧ୍ୟ ବିଏସଏଫ୍ ଜବାନ ମାନଙ୍କୁ ଉତ୍ସାହଜନକ ଓ ସକାରାତ୍ମକ ସ୍ୱାଗତ ମିଳିଥିଲା। ରାଲିଟି ସୁରକ୍ଷିତ ଭାବେ ସମାପ୍ତ ହେବା ସହ ଜବାନ ଓ ଗ୍ରାମବାସୀଙ୍କ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।
