
ଚିଲିକା : ଭାରତର ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ, INS ଚିଲିକା ପକ୍ଷରୁ ୧୨ ଅଗଷ୍ଟ ୨୦୨୬ ରିଖରେ ବ୍ରହ୍ମପୁରସ୍ଥିତ ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (NIST) ଠାରେ ‘ଇଣ୍ଡିଆନ୍ ନେଭି ବ୍ୟାଣ୍ଡ କନ୍ସର୍ଟ’ (ଭାରତୀୟ ନୌସେନା ବ୍ୟାଣ୍ଡ ସଙ୍ଗୀତ କାର୍ଯ୍ୟକ୍ରମ) ଆୟୋଜନ କରାଯାଇଥିଲା।
INS ଚିଲିକାର ନୌସେନା ବ୍ୟାଣ୍ଡ ଦଳ ଦେଶପ୍ରେମ, ସାମରିକ ଉତ୍ସାହ ଏବଂ ସମସାମୟିକ ଭାବନା ଉପରେ ଆଧାରିତ ଏକ ପ୍ରେରଣାଦାୟକ ସଙ୍ଗୀତ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ଏଥିରେ ‘ମାଁ ତୁଝେ ସଲାମ୍’, ‘ଲହରା ଦୋ’, ‘ଭାରତ ହମକୋ’, ‘ଏ ମେରେ ବତନ୍ କେ ଲୋଗୋଁ’, ‘ଜୟ ହୋ’, ‘ତେରି ମିଟ୍ଟି’, ‘କାନ୍ଧୋଁ ସେ’ ଏବଂ ‘ସୁନୋ ଗୌର୍ ସେ’ ଭଳି ଲୋକପ୍ରିୟ ଗୀତ ସାମିଲ ଥିଲା। ଏହି ପ୍ରଦର୍ଶନଗୁଡ଼ିକ ଜାତୀୟ ଗର୍ବ, ଏକତା, ସାହସ ଏବଂ ନିଃସ୍ୱାର୍ଥପର ସେବା ଭାବନାକୁ ପାଳନ କରିବା ସହ ଭାରତୀୟ ନୌସେନାର ମୂଳ ମୂଲ୍ୟବୋଧ – କର୍ତ୍ତବ୍ୟ, ସମ୍ମାନ ଏବଂ ସାହସକୁ ପ୍ରତିଫଳିତ କରିଥିଲା। ଏହି କାର୍ଯ୍ୟକ୍ରମ ଭାରତୀୟ ନୌସେନା ବ୍ୟାଣ୍ଡର ଗୌରବମୟ ଇତିହାସକୁ ମଧ୍ୟ ପ୍ରଦର୍ଶିତ କରିଥିଲା, ଯାହାର ଆରମ୍ଭ ୧୯୪୫ ମସିହାରେ ହୋଇଥିଲା। ଦେଶର ଅଗ୍ରଣୀ ସାମରିକ ବ୍ୟାଣ୍ଡ ମଧ୍ୟରୁ ଅନ୍ୟତମ ଭାବେ ସ୍ୱୀକୃତିପ୍ରାପ୍ତ ଏହି ବ୍ୟାଣ୍ଡ ଦେଶ ତଥା ବିଦେଶରେ ପ୍ରଶଂସା ଲାଭ କରିଛି। ଏହା ନୂଆଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପରେଡ୍ ଏବଂ ‘ବିଟିଂ ରିଟ୍ରିଟ୍’ ଭଳି ପ୍ରତିଷ୍ଠିତ ଜାତୀୟ ଉତ୍ସବରେ ଭାରତୀୟ ନୌସେନାର ପ୍ରତିନିଧିତ୍ୱ କରିଆସିଛି।
NIST ବିଶ୍ୱବିଦ୍ୟାଳୟର ଡିନ୍ (ଶିକ୍ଷା) ଡକ୍ଟର ରାଜେଶ କେ. ପାନାକାଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସେନା କର୍ମଚାରୀ, ସିଭିଲ୍ ପ୍ରଶାସନର ଅଧିକାରୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, NCC କ୍ୟାଡେଟ୍ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିଙ୍କ ସମେତ ମୋଟ ୨୦୦୦ ଦର୍ଶକ ଯୋଗ ଦେଇଥିଲେ। ଦେଶପ୍ରେମ, ଜାତୀୟ ଏକତା ଏବଂ ଦେଶ ସେବା ଭାବନାରେ ଦର୍ଶକଙ୍କୁ ଅନୁପ୍ରାଣିତ କରି ଜାତୀୟ ସଙ୍ଗୀତ ଗାନ ସହ ଏହି ସମାରୋହ କୁ ସାଂଗ କରାଯାଇଥିଲା।
