ପାଣି ପାଇଁ ଡହଳ ବିକଳ : ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ଲୋକେ,ଟଙ୍କା ଦେଇ ପିଉଛନ୍ତି ପାଣି… !

add-all


ରାୟଗଡ଼ା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ଉନ୍ନତି ଦିଗରେ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଲୋକେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି। ସେମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କୋଲନରା ବ୍ଲକ ସଦର ପଞ୍ଚାୟତର ପିପିଳିସାହି ନିକଟରେ ଥିବା ଶାନ୍ତି ନଗର ଠାରେ। ଯାହା ବ୍ଲକ ଠାରୁ ଅଳ୍ପ ଦୂର ଓ ପଞ୍ଚାୟତ କାର୍ଯ୍ୟାଳୟର ପଛ ପଟେ ରହିଥିଲେ ମଧ୍ୟ ଦୁଃଖର ବିଷୟ ଦ୍ବୀପ ତଳ ଅନ୍ଧାର ସଦୃଶ ଉକ୍ତ ସାହିରେ ଡ୍ରେନର ବ୍ୟବସ୍ତା ସହ ପିଇବା ପାଇଁ ପାନୀୟ ଜଳର ଅଭାବ ଦେଖା ଦେଇଛି। ଫଳରେ ଲୋକେ ଜଣଙ୍କ ଘରୁ ପାଇପ ଲଗାଇ ମାସିକ ଘର ପିଛା ୩ ଶହ ଟଙ୍କା ଲେଖାଏଁ ଚାନ୍ଦା କରି ଦେଇ ପାଣି ବ୍ୟବହାର କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଡ୍ରେନ ନ ଥିବା ଯୋଗୁଁ ଦୂଷିତ ପାଣି ସବୁ ନିଷ୍କାସନ ନ ହୋଇ ସାହି ମଝିରେ ଜମା ହୋଇ ରହିବା ଦ୍ଵାରା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ମଶା ମାଛିଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବା କାରଣରୁ ପ୍ରାୟ ସମୟରେ ଲୋକେ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ସାହି ବାସିନ୍ଦା ଦିନ ମଜୁରିଆ ସହ କୁଲି କାମ କରି ନିଜ ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଯେତିକି ରୋଜଗାର ହେଉଛି ମେଡିକାଲ ଓ ପାଣିରେ ଅଧାରୁ ଅଧିକ ଟଙ୍କା ଚାଲି ଯାଉଛି ବୋଲି ଦୟାନିଧି ନିମାଲ କହିଛନ୍ତି। ଉକ୍ତ ସାହିର ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ସହ ସ୍ଥାନୀୟ ବିଡ଼ିଓ ଏବଂ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ବୋଲି କହିଛନ୍ତି। ଖାସ କରି ବର୍ଷା ଦିନେ ସିସି ରାସ୍ତା ସହ ଡ୍ରେନେଜ ବ୍ୟବସ୍ଥା ନ ଥିବା କାରଣରୁ ସାହି ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ତେଣୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଡ୍ରେନ ସହ ପିଇବା ପାଣି ଓ ସିସି ରାସ୍ତାର ବ୍ୟବସ୍ଥା ଯୋଗେଇ ଦେବାକୁ ଗୋପାଳ କାଡ୍ରାକା, ମିନାକା ପାର୍ବତୀ, ପିର୍ବାକା ଆଚି, କିଲାନି ତ୍ରିନାଥ ଏବଂ ଲକ୍ଷ୍ମୀ ମିଣିଆକାଙ୍କ ସମେତ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.