ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜୟପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ : 22 କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଗୁରୁତର ରୋଗୀ ଚିକିତ୍ସା କେନ୍ଦ୍ରର ଶୁଭ ଉଦ୍ଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମିର ସମୀକ୍ଷା ବୈଠକ l
କୋରାପୁଟ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଚିକିତ୍ସାଳୟ ପରିସରରେ 22 କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଗୁରୁତର ରୋଗୀ ଚିକିତ୍ସା କେନ୍ଦ୍ରର ଶୁଭ ଉଦ୍ଘାଟନ କରିଥିଲେ | ପରିଦର୍ଶନ ସମୟରେ ମନ୍ତ୍ରୀ ବିଭିନ୍ନ ୱାର୍ଡରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସହ ସାକ୍ଷାତ କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଚିକିତ୍ସା ସେବା ସମ୍ପର୍କରେ ସମୀକ୍ଷା କରିଛନ୍ତି । ସାଧାରଣ ଜନତା ଯେପରି ସହଜରେ ଏବଂ ସୁଚାରୁରୂପେ ଉନ୍ନତମାନର ମାଗଣା ସ୍ୱାସ୍ଥ୍ୟସେବା ପାଇପାରିବେ, ତାହା ସୁନିଶ୍ଚିତ କରିବା ପାଇଁ ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍ପିଟାଲଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଅଧ୍ୟକ୍ଷତା କରି ଜିଲ୍ଲାର ସ୍ୱାସ୍ଥ୍ୟସେବା, ହସ୍ପିଟାଲର ଭିତ୍ତିଭୂମି ଓ ରୋଗୀସେବାର ସ୍ଥିତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି ।
ବୈଠକରେ ହସ୍ପିଟାଲରେ ଉପଲବ୍ଧ ବିଭିନ୍ନ ସ୍ୱାସ୍ଥ୍ୟସେବା ଓ ସୁବିଧା, ଆବଶ୍ୟକତା, ଚିକିତ୍ସା ବ୍ୟବସ୍ଥା, ରୋଗୀଙ୍କୁ ମିଳୁଥିବା ସେବା ଏବଂ ହସ୍ପିଟାଲର ଭିତ୍ତିଭୂମିର ସ୍ଥିତି ଉପରେ ଆଲୋଚନା ହୋଇଥିଲା। ବିଶେଷକରି ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାରକୁ ଆହୁରି ହ୍ରାସ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା।
ହସ୍ପିଟାଲକୁ ଆସୁଥିବା ପ୍ରତ୍ୟେକ ରୋଗୀ ଯେପରି ସମୟୋଚିତ ଓ ଆବଶ୍ୟକ ଚିକିତ୍ସା ପାଇପାରିବେ, ସେଥିପାଇଁ ସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ।
ଏଥିସହ ହସ୍ପିଟାଲର ଭିତ୍ତିଭୂମିକୁ ଆହୁରି ମଜବୁତ କରିବା, ଆବଶ୍ୟକ ସୁବିଧାର ବିକାଶ, ଚିକିତ୍ସା ସେବାର ଗୁଣବତ୍ତା ବୃଦ୍ଧି ଏବଂ ରୋଗୀଙ୍କ ପାଇଁ ଅଧିକ ସୁବିଧାଜନକ ପରିବେଶ ସୃଷ୍ଟି ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା।
ଜିଲ୍ଲାବାସୀଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସୁଦୃଢ଼ ଓ ଉନ୍ନତ ଚିକିତ୍ସା ପ୍ରତିଷ୍ଠାନ ଭାବେ ବିକଶିତ କରିବା ଦିଗରେ ସମସ୍ତେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ସମୀକ୍ଷା ବୈଠକରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ, ମାନ୍ୟବର କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତାଙ୍କ ସମେତ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ଅକ୍ଷୟ କୁମାର ରଥ, ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
