
ଅନ୍ତିମ ସନ୍ଧ୍ୟାରେ ଗୀତିନାଟ୍ୟ, ଭାରତଲୀଳା ଓ ଭୂତକେଳି ଦର୍ଶକଙ୍କ ମନ ମୋହିଲା
ବ୍ରହ୍ମପୁର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର, ଗଞ୍ଜାମ ଜିଲ୍ଲା ପ୍ରଶାସନ, ସଂସ୍କାର ଭାରତୀ, ଓଡ଼ିଶା ପ୍ରଦେଶ ଏବଂ ଓଡ଼ିଶା ନାଟକ ସମାରୋହ ସମିତି, ବ୍ରହ୍ମପୁରର ମିଳିତ ସହଯୋଗରେ ଆୟୋଜିତ ତିନିଦିନିଆ ରାଜ୍ୟସ୍ତରୀୟ ଲୋକନାଟକ ମହୋତ୍ସବ ‘ଲୋକରଞ୍ଜନୀ’ ଉଦ୍ଯାପିତ ହୋଇଛି। ବ୍ରହ୍ମପୁରସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ତିନିଦିନ ଧରି ଆୟୋଜିତ ଏହି ମହୋତ୍ସବରେ ଓଡ଼ିଶାର ସମୃଦ୍ଧ ଲୋକନାଟକ ଓ ଲୋକକଳାର ବିବିଧ ରୂପ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।
ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ଜଗତସିଂହପୁରର ବାଣୀକ୍ଷେତ୍ର ନାଟ୍ୟ ପରିଷଦ ପକ୍ଷରୁ ଗୀତିନାଟ୍ୟ, ଗଞ୍ଜାମର ଶ୍ରୀ ଶ୍ରୀ ମା’ ଦେବୀ ନାଟ୍ୟକଳା ସଂସଦ ପକ୍ଷରୁ ଭାରତଲୀଳା ଏବଂ ଗଜପତିର ସଙ୍କଟତାରିଣୀ ନାଟ୍ୟକଳା ସଂସଦ ପକ୍ଷରୁ ଭୂତକେଳି ପରିବେଷଣ କରାଯାଇଥିଲା। ଲୋକପରମ୍ପରା, ମାଟିର ସଂସ୍କୃତି, ସଙ୍ଗୀତ, ନୃତ୍ୟ ଓ ଅଭିନୟର ସମନ୍ୱୟରେ ଏହି ପରିବେଷଣଗୁଡ଼ିକ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଦର୍ଶକମାନେ ଉତ୍ସାହର ସହ ଲୋକନାଟକର ଏହି ଅନନ୍ୟ ରୂପଗୁଡ଼ିକୁ ଉପଭୋଗ କରିଥିଲେ।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ. ଚନ୍ଦ୍ରଶେଖର ହୋତାଙ୍କ ପରାମର୍ଶ ଓ ମାର୍ଗଦର୍ଶନରେ ଏହି ଲୋକନାଟକ ମହୋତ୍ସବ ଆୟୋଜିତ ହୋଇଥିଲା। ବ୍ରହ୍ମପୁରରେ ପ୍ରଥମଥର ପାଇଁ ଏଭଳି ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ ଆୟୋଜନ ହୋଇଥିବାରୁ ଏହାକୁ କଳାପ୍ରେମୀ ଓ ସାଂସ୍କୃତିକ ମହଲରେ ସ୍ୱାଗତ କରାଯାଇଥିଲା।
ଉଦ୍ଯାପନୀ କାର୍ଯ୍ୟକ୍ରମରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତୀ ଆଚାର୍ଯ୍ୟ, ଓଡ଼ିଶା ନାଟକ ସମାରୋହ ସମିତିର ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ଗଦାଧର ବାରିକ ଏବଂ ସଂସ୍କାର ଭାରତୀ, ଓଡ଼ିଶା ପ୍ରଦେଶର ସଂଯୋଜକ ନିରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଆୟୋଜକ ଅନୀଲ କୁମାର ପାତ୍ରଙ୍କ ସମେତ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, କୈଳାଶ ପାଣିଗ୍ରାହୀ, କାର୍ତ୍ତିକ ପାଣିଗ୍ରାହୀ, ଆରତୀ ପାତ୍ର, କୁନି ପଣ୍ଡା, ହରିଶ୍ଚନ୍ଦ୍ର ବରାଡ, ମୃତ୍ୟୁଞ୍ଜୟ ତ୍ରିପାଠୀ, ଜୟନ୍ତୀ ମିଶ୍ର, ଅଭିରାମ ରାଉଳ, ବଳଦେବ ସାହୁ, କୃଷ୍ଣ ପଣ୍ଡା, ସରୋଜ ପଣ୍ଡା, ଅଶୋକ ପାତ୍ର, ସୁନୀଲ ସ୍ୱାଇଁ, ସୁଦୀପ କୁମାର ସାହୁ, ମିହିର ପାଣିଗ୍ରାହୀ, ବିନାୟକ ହୋତା, ସତ୍ୟ ଦାସଙ୍କ ସମେତ ବହୁ କଳାକାର, କଳାପ୍ରେମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିଲେ। ମହୋତ୍ସବରେ ଯୋଗଦେଇଥିବା ଅତିଥି, କଳାକାର ଓ ସହଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା।
