
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଓଡ଼ଗାଁ ଏନଏସି କଦଳୀବନ୍ଧ ୨୧ ନମ୍ବର ରାଜ୍ୟ ରାଜପଥ ଦକ୍ଷିଣ ପାର୍ଶ୍ଵରେ ଗୟଳ ସିଂ ପାହାଡ଼ ପାଦଦେଶରେ ୩ ହାତୀ ଛୁଆଙ୍କ ସହିତ ପ୍ରାୟ ୧୨ ରୁ ୧୫ ପଟ ହାତୀ ପଲଙ୍କ ଉପସ୍ଥିତି ସ୍ଥାନୀୟ ଅଞ୍ଚଳବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି।ଜାଭିୟର ସ୍କୁଲ ପ୍ରାଚୀର ପାଖକୁ ରହିଥିବା ଅସ୍ଥାୟୀ ଘରକୁ ହାତୀପଲ ଅସ୍ତବ୍ୟସ୍ତ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପତ୍ର ପାଇଁ ଡାଳ ଭାଙ୍ଗୁଥିବାର ଶବ୍ଦ ଶୁଣାଯାଉଛି । ହାତୀପଲଙ୍କ ଉପସ୍ଥିତି ଯୋଗୁଁ ଉକ୍ତ ଅଂଚଳରେ ବିଦ୍ୟୁତ୍ ଯୋଗାଣକୁ ବନ୍ଦ କରାଯାଇଥିବା ବେଳେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ, ବନପାଳ ସରିତା ବରାଳ, ସ୍କ୍ୱାର୍ଡ ଦଳଙ୍କ ସହିତ ଅନ୍ୟ ବନ କର୍ମଚାରୀ ମାନେ ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।ସୂଚନା ଅନୁଯାୟୀ ପ୍ରତିବର୍ଷ ଉକ୍ତ ଅଞ୍ଚଳକୁ ହାତୀପଲ ଆସୁଥିବା ବେଳେ ଗତବର୍ଷ ଓଡ଼ଗାଁ ଅଞ୍ଚଳରେ ଉପଦ୍ରବ ମଚାଇଥିଲେ ହାତୀପଲ । ଚାଷୀ ମାନେ ବିଭିନ୍ନ ସ୍ଥାନରେ ମକା ଚାଷ କରିଥିବା ବେଳେ ମିଠା ମକା ଖାଇବା ଲୋଭରେ ହାତୀପଲ ମକା ବାରୀ ଅଞ୍ଚଳକୁ ଆସୁଥିବା ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି।
