ନୟାଗଡ଼କଲେଜର ଶିକ୍ଷାଦାନ ନିର୍ଘଣ୍ଟ କାହା ସ୍ୱାର୍ଥରେ?

Independence

ନୟାଗଡ଼ : ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷାଦାନ ସମୟ ନିର୍ଘଣ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରାକ୍ତନ ଛାତ୍ର ସଂଘ ସଭାପତି ତଥା ବିଶିଷ୍ଟ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର। ମହାବିଦ୍ୟାଳୟରେ ଶିକ୍ଷାଦାନ ସକାଳ ୭ଟାରୁ ଆରମ୍ଭ କରାଯାଇ ପୂର୍ବାହ୍ନରେ ପ୍ରାୟ ସମସ୍ତ କ୍ଲାସ୍ ଶେଷ କରି ଅପରାହ୍ନ ସମୟକୁ ଖାଲି ରଖିବା ଶିକ୍ଷାଦାନର ସୁସ୍ଥ ପରିବେଶ ପାଇଁ ଉପଯୁକ୍ତ ନୁହେଁ ବୋଲି ସେ କହିଛନ୍ତି। ଶ୍ରୀ ମହାପାତ୍ରଙ୍କ କହିବାନୁସାରେ, ମହାବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହର ଅଭାବ ନଥିବା ସତ୍ତ୍ୱେ ସକାଳ ୯ଟାରୁ ଶିକ୍ଷାଦାନ ଆରମ୍ଭ କରି ଅପରାହ୍ନ ୪ଟା ପର୍ଯ୍ୟନ୍ତ କ୍ଲାସ୍ ଚାଲିଲେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନେ ଅଧିକ ସୁବିଧା ପାଇପାରିବେ। ବର୍ତ୍ତମାନର ସମୟ ନିର୍ଘଣ୍ଟ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ସେ ଅଭିଯୋଗ କରିଛନ୍ତି।

ଏଥିସହିତ ଘରୋଇ ଶିକ୍ଷାନୁଷ୍ଠାନ ଓ କୋଚିଂ ବ୍ୟବସ୍ଥାକୁ ପରୋକ୍ଷରେ ସୁବିଧା ଦେବା ପାଇଁ ଶିକ୍ଷାଦାନ ନିର୍ଘଣ୍ଟକୁ ବିଶୃଙ୍ଖଳିତ କରାଯାଉଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ଏପରି ବ୍ୟବସ୍ଥା ଦ୍ୱାରା ସରକାରୀ ଶିକ୍ଷାନୁଷ୍ଠାନର ଗୁରୁତ୍ୱ ହ୍ରାସ ପାଇବା ସହ ଶିକ୍ଷାର ଘରୋଇକରଣକୁ ପରୋକ୍ଷରେ ପ୍ରୋତ୍ସାହନ ମିଳୁଥିବା ସେ ମତ ଦେଇଛନ୍ତି। ନୟାଗଡ଼ ମହାବିଦ୍ୟାଳୟ ଓଡ଼ିଶାର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଏଠାରେ ଶ୍ରେଣୀ ଶିକ୍ଷାଦାନକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। କୋଚିଂ ବ୍ୟବସ୍ଥା ଉପରେ ଅଧିକ ନିର୍ଭରଶୀଳତା ଫଳରେ ସ୍ୱଚ୍ଛଳ ବର୍ଗର ଛାତ୍ରଛାତ୍ରୀ କିଛିଟା ଲାଭ ପାଇପାରନ୍ତି, କିନ୍ତୁ ସାଧାରଣ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀ ଏଥିରେ କ୍ଷତିଗ୍ରସ୍ତ ହେବେ ବୋଲି ସେ ଆଶଙ୍କା ପ୍ରକାଶ ପାଉଛି।

ad-week
Leave A Reply

Your email address will not be published.