
ନୟାଗଡ଼ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ଓ ମହାବିଦ୍ୟାଳୟର ଶିକ୍ଷାନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କିତ ଏକ ୧୦ ଦଫା ଦାବିପତ୍ର ପ୍ରଦାନ କରାଯାଇଛି l
ଏହି ଦାବିପତ୍ରରେ ଦୀର୍ଘଦିନ ଧରି ଛାତ୍ର ସମାଜର ମୁଖ୍ୟ ଦାବି ହୋଇ ରହିଥିବା ଛାତ୍ର ସଂସଦ ନିର୍ବାଚନ ଖୁବଶୀଘ୍ର କରାଇବା, ମହାବିଦ୍ୟାଳୟର ଗଭର୍ନିଂ ବଡି ଗଠନ କରିବା ଏବଂ କ୍ୟାମ୍ପସରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ କରିବା ନେଇ ଦାବି ଉପସ୍ଥାପନ କରାଯାଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା, ସୁବିଧା ଓ ସୁରକ୍ଷିତ ଶିକ୍ଷା ପରିବେଶକୁ ଗୁରୁତ୍ୱ ଦେଇ ଅନ୍ୟାନ୍ୟ ଦାବିଗୁଡ଼ିକ ମଧ୍ୟ ଦାବିପତ୍ରରେ ସ୍ଥାନ ପାଇଛି।
ଏବିଭିପି ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର ଓ କ୍ୟାମ୍ପସର ସାମଗ୍ରିକ ବିକାଶ ପାଇଁ ଛାତ୍ର ସଂସଦ ନିର୍ବାଚନ ଅତ୍ୟନ୍ତ ଆବଶ୍ୟକ। ଏଥିସହ ମହାବିଦ୍ୟାଳୟର ସୁଚାରୁ ପରିଚାଳନା ଓ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଗଭର୍ନିଂ ବଡି ଗଠନ ମଧ୍ୟ ଜରୁରୀ। ତେଣୁ ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଏହି ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ପଦକ୍ଷେପ ନେବାକୁ ପରିଷଦ ଦାବି କରିଛି।
ଏହି ଅବସରରେ କ୍ୟାମ୍ପସ ୟୁନିଟ୍ ସଭାପତି ସୁଶ୍ରୀ ପାୟଲ ପ୍ରିୟଦର୍ଶିନୀ ପ୍ରଧାନ, ନୟାଗଡ଼ ନଗର ସମ୍ପାଦକ ସୌଭାଗ୍ୟ ରଞ୍ଜନ ପ୍ରଧାନ, ଏବିଭିପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମ୍ବିତ ପ୍ରସାଦ ଶତପଥୀ, ସି.କେ.ଏସ. ପ୍ରିୟାଂଶୁ ରଞ୍ଜନ, ସିପୁନା ବେହେରା, ଅନିଲ ନାୟକ, ଆଭିନାଶ ପ୍ରଧାନ, ଅନନ୍ତ ନାୟକ, ସୋହନ କୁମାର ରାଉତରାୟଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଏବିଭିପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏବିଭିପି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ଶାଖା ପକ୍ଷରୁ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଓ କ୍ୟାମ୍ପସର ଶିକ୍ଷାନୁକୂଳ ପରିବେଶ ଗଠନ ପାଇଁ ଆଗାମୀ ଦିନରେ ମଧ୍ୟ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଜାରି ରହିବ ବୋଲି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି।
