କଲେଜ ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ ଆଉ ହେବନି ପୁରି ଓ ବରା, ତେଲିଆ ଖାଦ୍ୟ କମାଇବାକୁ ପରାମର୍ଶ

Independence

ଭୁବନେଶ୍ୱର: ବିଶ୍ୱବ୍ୟାପୀ ଖାଦ୍ୟ, ସାର ଓ ଇନ୍ଧନ ଯୋଗାଣ ସଙ୍କଟର ପ୍ରଭାବକୁ ଦୃଷ୍ଟିରେ ରଖି ରନ୍ଧନ ତେଲର ବ୍ୟବହାର କମାଇବାକୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜକୁ ପରାମର୍ଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଏନେଇ ବିଭାଗ ପକ୍ଷରୁ ସମସ୍ତ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଜାରି କରାଯାଇଛି।

ଉଚ୍ଚଶିକ୍ଷା ବିଭାଗର ଏହି ନିର୍ଦ୍ଦେଶନାମା ଅନୁଯାୟୀ, କଲେଜ ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ବ୍ୟବହାର କମାଇବା ସହ ଛାତ୍ରଛାତ୍ରୀଙ୍କ ଖାଦ୍ୟାଭ୍ୟାସରେ ଅଧିକ ତେଲ ବ୍ୟବହାର ହ୍ରାସ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କୋଭିଡ୍‌ ମହାମାରୀ ପରଠାରୁ ବିଶ୍ୱ ବାରମ୍ବାର ଯୋଗାଣ ଶୃଙ୍ଖଳାରେ ବାଧା ଏବଂ ବିଭିନ୍ନ ସଙ୍କଟର ସମ୍ମୁଖୀନ ହେଉଛି। ୟୁକ୍ରେନ୍‌ରେ ସଂଘର୍ଷ ଯୋଗୁଁ ଖାଦ୍ୟ, ସାର ଓ ଇନ୍ଧନର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ ଇରାନ୍‌ର ସାମ୍ପ୍ରତିକ ସଂଘର୍ଷ ଏହି ସଙ୍କଟକୁ ଆହୁରି ଗୁରୁତର କରିଛି। ଏହାର ଆର୍ଥିକ ପ୍ରଭାବରୁ ବିଶ୍ୱର କୌଣସି ଦେଶ ସମ୍ପୂର୍ଣ୍ଣ ଭାବେ ମୁକ୍ତ ନୁହେଁ ବୋଲି ବିଭାଗ ଉଲ୍ଲେଖ କରିଛି।

ଦୀର୍ଘସ୍ଥାୟୀ ଏହି ସଙ୍କଟର ନକାରାତ୍ମକ ପ୍ରଭାବ ଭାରତ ମଧ୍ୟ ଅନୁଭବ କରୁଥିବାରୁ ଇନ୍ଧନ ଚାହିଦା ହ୍ରାସ କରିବା ସହ ବିଭିନ୍ନ କ୍ଷେତ୍ରରେ ସଚେତନ ଓ ସଂଯମୀ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଦେଶ ସମ୍ମୁଖୀନ ହେଉଥିବା ସଙ୍କଟର ମୁକାବିଲାରେ ନାଗରିକମାନେ ନିଜ ନିଜ ସ୍ତରରେ ଛୋଟ ଛୋଟ ଅବଦାନ ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିବା ଚିଠିରେ ଦର୍ଶାଯାଇଛି।

ଏହି ଆହ୍ୱାନର ପରିପ୍ରେକ୍ଷୀରେ କଲେଜ ହଷ୍ଟେଲ ଓ କ୍ୟାଣ୍ଟିନ୍‌ଗୁଡ଼ିକରେ ଖାଦ୍ୟ ପ୍ରସ୍ତୁତି ସମୟରେ ତେଲର ବ୍ୟବହାର ଯଥାସମ୍ଭବ କମାଇବାକୁ କୁହାଯାଇଛି। ବିଶେଷକରି ଜଳଖିଆ ମେନୁରେ ଅଧିକ ତେଲ ଆବଶ୍ୟକ ହେଉଥିବା ପୁରି, ବରା ଓ ଆଳୁଚପ ଭଳି ଖାଦ୍ୟକୁ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ଛାତ୍ରଛାତ୍ରୀଙ୍କ ପୁଷ୍ଟି ଓ ଖାଦ୍ୟର ଗୁଣବତ୍ତା ସହ ସାଲିସ ନକରି ଡିପ୍‌-ଫ୍ରାଏଡ୍‌ ଖାଦ୍ୟର ପରିମାଣ କମାଇବାକୁ ମଧ୍ୟ କୁହାଯାଇଛି। ଅର୍ଥାତ୍‌ ତେଲ ବ୍ୟବହାର କମାଇବା ସହିତ ଛାତ୍ରଛାତ୍ରୀଙ୍କ ଆବଶ୍ୟକ ପୁଷ୍ଟି ଯେପରି ପ୍ରଭାବିତ ନହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ବିଭାଗ ଗୁରୁତ୍ୱ ଦେଇଛି।

ରନ୍ଧନ ତେଲ ବ୍ୟବହାର କ୍ଷେତ୍ରରେ ମଧ୍ୟ ବିକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି। ଆମଦାନୀ ହେଉଥିବା ପାମ୍‌, ସୂର୍ଯ୍ୟମୁଖୀ ଓ ସୋୟାବିନ୍‌ ତେଲ ବଦଳରେ ପାରମ୍ପରିକ ଘିଅ, ସୋରିଷ ତେଲ ଓ ବାଦାମ ତେଲ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ କଲେଜଗୁଡ଼ିକୁ କୁହାଯାଇଛି।

ଉଚ୍ଚଶିକ୍ଷା ବିଭାଗ କେବଳ କଲେଜ ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ ତେଲ ବ୍ୟବହାର ହ୍ରାସ ମଧ୍ୟରେ ଏହି ପଦକ୍ଷେପକୁ ସୀମିତ ରଖିନାହିଁ। ଏନ୍‌ଏସ୍‌ଏସ୍‌ ଓ ୟୁଆର୍‌ସି ସ୍ୱେଚ୍ଛାସେବୀମାନଙ୍କ ମାଧ୍ୟମରେ ସମୁଦାୟ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମଧ୍ୟ କୁହାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ଦୈନନ୍ଦିନ ଘରୋଇ ରୋଷେଇରେ ତେଲ ବ୍ୟବହାର କମାଇବା ନେଇ ଲୋକଙ୍କୁ ସଚେତନ କରାଯିବ।

ଏହି ନିର୍ଦ୍ଦେଶନାମାର ନକଲ ଉଚ୍ଚଶିକ୍ଷା ବିଭାଗର ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପଠାଯାଇ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଖାଦ୍ୟ ଓ ଇନ୍ଧନ ଯୋଗାଣ ସଙ୍କଟର ପ୍ରଭାବକୁ ମୁକାବିଲା କରିବା ଦିଗରେ ଛୋଟ ଛୋଟ ସଞ୍ଚୟମୂଳକ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ କଲେଜ ଗୁଡ଼ିକୁ ଆହ୍ୱାନ କରିଛି। ଏହାର ଅଂଶ ଭାବେ ହଷ୍ଟେଲ ଓ କ୍ୟାଣ୍ଟିନ୍‌ରେ ତେଲ ବ୍ୟବହାର ହ୍ରାସ, ଅଧିକ ତେଲିଆ ଖାଦ୍ୟକୁ ଏଡ଼ାଇବା, ଆମଦାନୀ ତେଲ ପରିବର୍ତ୍ତେ ପାରମ୍ପରିକ ତେଲ ବ୍ୟବହାର ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଭଳି ପଦକ୍ଷେପ ନେବାକୁ କୁହାଯାଇଛି।

ad-week
Leave A Reply

Your email address will not be published.