
ଜିଲ୍ଲାର 3ଲକ୍ଷ 16 ହଜାର 745 ମହିଳାଙ୍କ ଖାତାକୁ ଗଲା ଅର୍ଥରାଶି
କୋରାପୁଟ : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳାମାନଙ୍କୁ 5ମ କିସ୍ତିର ଅର୍ଥରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଲାଠୀପଡ଼ାଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ହିତାଧିକାରୀଙ୍କୁ 5ମ କିସ୍ତିର ଅର୍ଥରାଶି ପ୍ରଦାନ କରିଥିଲେ।
ଏହି ଅବସରରେ କୋରାପୁଟ ସଦର ମହକୁମାସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଅଡିଟୋରିୟମ୍ରେ ଜିଲ୍ଲାସ୍ତରୀୟ ସୁଭଦ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭିଡିଓ ଆଭାସୀ ମାଧ୍ୟମରେ କୋରାପୁଟ ଜିଲ୍ଲା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ସଂଯୁକ୍ତ ହୋଇଥିଲା।
ଏହି ଅବସରରେ କୋରାପୁଟ ଜିଲ୍ଲାର 3 ଲକ୍ଷ 16 ହଜାର 745 ଜଣ ସୁଭଦ୍ରା ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଖାତାକୁ 5ମ କିସ୍ତିର ଅର୍ଥରାଶି ପ୍ରଦାନ କରାଯାଇଥିଲା।
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ମାଛ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିଜ ଅଭିଭାଷଣରେ ସେ ସୁଭଦ୍ରା ଯୋଜନାର ଲାଭ ପାଉଥିବା ସମସ୍ତ ମହିଳାଙ୍କୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ମହିଳା ସଶକ୍ତିକରଣରେ ସୁଭଦ୍ରା ଯୋଜନାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ କୋଟପାଡ଼ ବିଧାୟକ ରୁପୁ ଭତ୍ରା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗବାନ ମୁଦୁଲି, ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ, ଜିଲ୍ଲା ଉନ୍ନୟନ ଅଧିକାରୀ ବେଣୁଧର ଶବର ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସିଡିପିଓ, ସୁପରଭାଇଜର ଓ ଅଙ୍ଗନବାଡ଼ି କର୍ମୀଙ୍କ ସମେତ ଶତାଧିକ ମହିଳା ହିତାଧିକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। 5ମ କିସ୍ତିର ଅର୍ଥରାଶି ନିଜ ନିଜ ବ୍ୟାଙ୍କ ଖାତାକୁ ଆସିବା ପରେ ହିତାଧିକାରୀ ମହିଳାମାନେ ଖୁସି ପ୍ରକାଶ କରିବା ସହ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ସରକାରଙ୍କ ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଥିଲେ l
