“ସକ୍ଷମ”ର ନିଆରା ରକ୍ଷାବନ୍ଧନ ଉତ୍ସବ

Independence

ସୁନ୍ଦରଗଡ଼ : ଆଜିର ସମାଜରେ ଚାଷୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୀମିତ ଜମି ସମ୍ବଳ ମଧ୍ୟରେ ଦେଶର ଅନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ଚାଷୀଙ୍କୁ ଅନେକ ସମୟରେ ରାସାୟନିକ ଚାଷ ପଦ୍ଧତି ଆପଣାଇବାକୁ ପଡ଼େ। ମାତ୍ର କାଳକ୍ରମେ ଏହି ରାସାୟନିକ ଚାଷ ପଦ୍ଧତି ଚାଷୀଙ୍କ ପାଇଁ ଏକ ବଡ଼ ବୋଝ ପାଲଟି ଯାଇଛି। ରାସାୟନିକ ସାର ଓ ପୋକମରା ଔଷଧର ବଢୁଥିବା ଖର୍ଚ୍ଚ ଚାଷୀଙ୍କୁ ଆର୍ଥିକ ଭାବେ ହନ୍ତସନ୍ତ କରୁଛି। ଏହାର ପ୍ରଭାବରେ ଅନେକ ସମୟରେ ଚାଷୀ ଆତ୍ମହତ୍ୟା ଭଳି ଦୁଃଖଦ ଘଟଣା ମଧ୍ୟ ଶୁଣିବାକୁ ମିଳୁଛି।

ଏପରି ପରିସ୍ଥିତିରେ ଚାଷୀ ପୁଣି ଥରେ ଜୈବିକ ଚାଷ ପଦ୍ଧତି ଆଡ଼କୁ ଫେରୁଛନ୍ତି। ତେବେ ଏହି ପରିବର୍ତ୍ତନ ପାଇଁ ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ, ପ୍ରେରଣା ଓ ସହଯୋଗ। ଚାଷୀଙ୍କ ସୁଖ-ଦୁଃଖରେ ସାଥୀ ହେବାର ଉଦ୍ଦେଶ୍ୟ ନେଇ ବନ୍ଧପାଲି ନିକଟସ୍ଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସକ୍ଷମ” ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି।

ପବିତ୍ର ରକ୍ଷାବନ୍ଧନ ଅବସରରେ ଅନୁଷ୍ଠାନର କର୍ମକର୍ତ୍ତା ଓ ସେମାନଙ୍କ ପରିବାର ସଦସ୍ୟମାନେ ଚାଷୀଙ୍କୁ ସେମାନଙ୍କ ବିଲରେ ଯାଇ ସାକ୍ଷାତ କରିଥିଲେ। ଚାଷ କାର୍ଯ୍ୟରେ ନିୟୋଜିତ ଥିବା ଚାଷୀମାନଙ୍କୁ ସ୍ନେହ ଓ ସମ୍ମାନର ପ୍ରତୀକ ରାକ୍ଷୀ ବାନ୍ଧି ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ। ଏହା ମାଧ୍ୟମରେ ଚାଷୀଙ୍କ ସହ ସମାଜର ଘନିଷ୍ଠ ସମ୍ପର୍କ ଓ ଏକାତ୍ମତାର ବାର୍ତ୍ତା ପ୍ରଦାନ କରାଯାଇଥିଲା।

ଏହି ଅବସରରେ ସକ୍ଷମର ସଭାପତି ଉମେଶ ବାବୁ କହିଥିଲେ ଯେ, ଜୈବିକ ପଦ୍ଧତିରେ ଚାଷ କରୁଥିବା ଚାଷୀଙ୍କ ସୁରକ୍ଷା ସହିତ ପରିବେଶ, ପ୍ରକୃତି ଓ ଧରଣୀ ମାଆଙ୍କ ସୁରକ୍ଷା ଆଜିର ସମୟର ଏକ ପ୍ରମୁଖ ଆବଶ୍ୟକତା। ଚାଷୀ ବଞ୍ଚିଲେ ସମାଜ ଓ ପ୍ରକୃତି ଉଭୟ ସୁରକ୍ଷିତ ରହିବ ବୋଲି ସେ ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ କଳାକୃଷ୍ଣ ଓରାମ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇ ପରିଚାଳନା କରିଥିଲେ। ସକ୍ଷମର ଏହି ନିଆରା ରକ୍ଷାବନ୍ଧନ ପାଳନ ଏବଂ ଚାଷୀ ସମ୍ମାନ କାର୍ଯ୍ୟକ୍ରମକୁ ଜନସାଧାରଣ ମହଳରେ ବେଶ ପ୍ରଶଂସା କରାଯାଇଛି।

ad-week
Leave A Reply

Your email address will not be published.