୧୨୫ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ ଉତ୍ସବ ଅନୁଷ୍ଠିତ

Independence

ନୟାଗଡ଼, ୦୫/୦୯(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମପଞ୍ଚାୟତ ସ୍ଥିତ ଦୁର୍ଗା ବଜାର ବଣିକ ସଂଘ ସଭାପତି ପ୍ରଭାତ କୁମାର ସାହୁଙ୍କ ଆବାହକତ୍ୱରେ ରାଜସୁନାଖଳା ଫାଣ୍ଡି ପରିସରରେ ୧୨୫ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ ପବିତ୍ର ମାଟି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଫାଣ୍ଡି ପରିସରରେ ଥିବା ବେଲ ବରଣୀ ମଣ୍ଡପ ସ୍ଥଳୀ ଘଣ୍ଟ, ଶଙ୍ଖ ଏବଂ କାହାଳୀ ଧ୍ୱନିରେ ସମ୍ପୂର୍ଣ୍ଣ ପରିବେଶ ଆଧ୍ୟାତ୍ମିକ ହୋଇଉଠିଥିଲା l ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ତିଥିରେ ମାଟି ଅନୁକୂଳର ପରମ୍ପରା ରହିଛି। ବିଶ୍ୱାସ କରାଯାଏ ଯେ ମା’ ଦୁର୍ଗା ଏହି ଦିନ ବିଜୁଳି କନ୍ୟା ରୂପରେ ଆବିର୍ଭାବ ହୋଇଥିଲେ l ତେଣୁ ଏହି ଦିନକୁ ମୂର୍ତ୍ତି ନିର୍ମାଣ ଅନୁକୂଳ ପାଇଁ ଶ୍ରେଷ୍ଠ ମନେକରାଯାଏ l
ଏହା ପରେ କାରିଗରମାନେ ମା’ ଦୁର୍ଗା, ପ୍ରଭୁ ଗଣେଶ, କାର୍ତ୍ତିକେୟ, ମା’ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ମୂର୍ତ୍ତି ଗଠନ କାମ ଆନୁଷ୍ଠାନିକ ଭାବେ ଆରମ୍ଭ କରବେ l ମାଟି ଆଣିବା ପୂର୍ବରୁ ସେଠାରେ ଅଷ୍ଟମାତୃକା ଓ ଧରିତ୍ରୀ ମାତା (ବସୁମତୀ)ଙ୍କୁ ପୂଜା କରି ଅନୁମତି ଭିକ୍ଷା କରାଯାଇଥିଲା । ପୂଜା ସ୍ଥଳ ଓ ବିଧିବିଧାନ ହୋମ ଓ ମନ୍ତ୍ରପାଠ କାର୍ଯ୍ୟକୁ ପଣ୍ଡିତ ପ୍ରଦୀପ କୁମାର ମିଶ୍ର, ସନ୍ତୋଷ ରଣା, ଗଣେଶ ରଣା, ଶୁଶାନ୍ତ ବାରିକ ପ୍ରମୁଖ ପରିଚାଳନା କରିଥିବାବେଳେ କର୍ତ୍ତାଭାବେ ସଞ୍ଜୟ କୁମାର ମହାପାତ୍ର କାର୍ଯ୍ୟ ସମ୍ପାଦନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଦୁର୍ଗା ବଜାର ବଣିକ ସଂଘର ଉପଦେଷ୍ଟା କିଶୋର ଚନ୍ଦ୍ର ସାହୁ,ଉପସଭାପତି ସୁରେଶ କୁମାର ସାହୁ,ସମ୍ପାଦକ ଭାଗିରଥି ସ୍ୱାଇଁ ଓ କୋଷଧ୍ୟକ୍ଷ କାର୍ତ୍ତିକ ନାୟକଙ୍କ ସମେତ ବଣିକ ସଂଘର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଚଳିତବର୍ଷ ଶାରଦୀୟ ଦୁର୍ଗା ପୂଜା ଉତ୍ସବକୁ ଆକର୍ଷଣୀୟ ଓ ମହାଆଡମ୍ବର ସହକାରେ ଭାବେ ପାଳନ କରାଯିବା ସହିତ ରାଜସୁନାଖଳା ଗ୍ରାମବାସୀ ସହଯୋଗ କରିବାକୁ ବଣିକ ସଂଘ ସଭାପତି ଶ୍ରୀ ପ୍ରଭାତ କୁମାର ସାହୁ ଅନୁରୋଧ କରିଅଛନ୍ତି ।

ad-week
Leave A Reply

Your email address will not be published.