
ସୁନ୍ଦରଗଡ଼ : ସଦର ଥାନା ନିକଟସ୍ଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସକ୍ଷମ’ ପକ୍ଷରୁ ‘ସଙ୍କଳ୍ପ’ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଗତ ଅଗଷ୍ଟ ୨୩ ତାରିଖରେ ୧୯ଟି ସ୍ୱୟଂ ସହାୟକ ଗୋଷ୍ଠୀ, ଦୁଇଟି କୃଷକ ସଂଗଠନ ଏବଂ ଓରାମ ସାଂସ୍କୃତିକ ସମାଜର ପ୍ରତିନିଧିମାନଙ୍କୁ ନେଇ ପାରସ୍ପରିକ ସମନ୍ୱୟ ଓ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ‘ସମନ୍ୱୟ’ ସମାବେଶ ଆୟୋଜିତ ହୋଇଥିଲା। ସେହି ଧାରାବାହିକତାରେ ଆଜି ବିଭିନ୍ନ ଗୋଷ୍ଠୀ ଓ ଅନୁଷ୍ଠାନମାନଙ୍କର ଭବିଷ୍ୟତ କାର୍ଯ୍ୟଯୋଜନା ଓ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ଗ୍ରହଣ ପାଇଁ ‘ସଙ୍କଳ୍ପ’ ସମାବେଶର ଆୟୋଜନ କରାଯାଇଥିଲା।
ସମାବେଶରେ ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ସଂଗଠନ ଏବଂ ଓରାମ ସାଂସ୍କୃତିକ ସମାଜର ସଦସ୍ୟମାନେ ଯୋଗଦେଇ ନିକଟ ଭବିଷ୍ୟତରେ ବିଭିନ୍ନ ଆୟବର୍ଦ୍ଧକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ।
ଏହି ଅବସରରେ ଓଡ଼ିଶା ସରକାରଙ୍କ ମୃତ୍ତିକା ସଂରକ୍ଷଣ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସେବାନିବୃତ୍ତ ବୈଷୟିକ ନିର୍ଦ୍ଦେଶକ ଶୈଳେନ୍ଦ୍ର ନାରାୟଣ ନାଏକ ଓ ସୁନ୍ଦରଗଡ଼ ପ୍ରାଣୀ ସମ୍ପଦ ବିଭାଗର ସେବାନିବୃତ୍ତ ମୁଖ୍ୟ ଜିଲ୍ଲା ପ୍ରାଣୀଧନ ଅଧିକାରୀ ବସନ୍ତ କୁମାର ବଳ ସାଧନ କର୍ମୀ ତଥା ଅତିଥି ଭାବେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପ ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଶ୍ରୀ ନାଏକ ନିଜ କାର୍ଯ୍ୟକାଳର ଅନୁଭୂତି ବର୍ଣ୍ଣନା କରି ଚାଷୀଙ୍କ ଆର୍ଥିକ ଓ ସାମାଜିକ ଉନ୍ନତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସେହିପରି ଶ୍ରୀ ବଳ ମଧ୍ୟ ପ୍ରାଣୀପାଳନ ଓ କୃଷିଭିତ୍ତିକ ଆୟ ବୃଦ୍ଧିର ସୁଯୋଗ ସମ୍ପର୍କରେ ଉଦାହରଣ ସହ ଆଲୋଚନା କରିଥିଲେ।
“ସଙ୍କଳ୍ପ”ସମାବେଶର ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ସଦର ବିଧାୟକ ଯୋଗେଶ କୁମାର ସିଂ ଯୋଗଦେଇ ସମସ୍ତଙ୍କୁ ବ୍ୟକ୍ତିଗତ ତଥା ସାମାଜିକ ଉନ୍ନତି ପାଇଁ ଆଜିର ଏହି ସଂକଳ୍ପ ସମାବେଶରେ ଦୃଢ଼ ସଙ୍କଳ୍ପ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଉପସ୍ଥିତ ସଦସ୍ୟମାନଙ୍କ ସହ ଖୋଲା ଆଲୋଚନା ସମୟରେ ସେ ଅଞ୍ଚଳର ବିଭିନ୍ନ ସମସ୍ୟା ଶୁଣି ସେଗୁଡ଼ିକର ସମାଧାନ ପାଇଁ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିଲେ। ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସଶକ୍ତିକରଣ ପାଇଁ ସକ୍ଷମ ନେଉଥିବା ପଦକ୍ଷେପକୁ ସେ ପ୍ରଶଂସା କରିବା ସହ ଅନୁଷ୍ଠାନର ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ସମସ୍ତ ପ୍ରକାର ସହଯୋଗର ଆଶ୍ୱାସନା ଦେଇଥିଲେ।
ଦୀପ ପ୍ରଜ୍ୱଳନ ପରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ତାରା ଗୋଖରାଙ୍କ ଭକ୍ତି ସଙ୍ଗୀତ ପରିବେଷଣ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସକ୍ଷମର ସଭାପତି ଉମେଶ ବାବୁ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିଥିବାବେଳେ ଅନୁଷ୍ଠାନର ସମ୍ପାଦକ କଳାକୃଷ୍ଣ ଓରାମ “ସଙ୍କଳ୍ପ” ସମାବେଶର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସକ୍ଷମର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
