କୋଟପାଡ଼ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର: ୬୪ଟି ଅଭିଯୋଗ ମଧ୍ୟରୁ ୯ଟିର ତତ୍କାଳ ସମାଧାନ

Independence

କୋଟପାଡ଼ (କୋରାପୁଟ), : କୋରାପୁଟ ଜିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୬୪ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୧୧ଟି ସାମୂହିକ ତଥା ଗୋଷ୍ଠୀଗତ ଏବଂ ୫୩ଟି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଥିଲା। ଘଟଣାସ୍ଥଳରେ ହିଁ ୯ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗଗୁଡ଼ିକୁ ଶୁଣିବା ପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିୟମାନୁଯାୟୀ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସହ ଏହାର ନିୟମିତ ସମୀକ୍ଷା କରିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ଏହି ଜନଶୁଣାଣିରେ କୋଟପାଡ଼ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳର ରାସ୍ତାଘାଟର ଶୋଚନୀୟ ଅବସ୍ଥା ନେଇ ବ୍ୟାପକ ଅଭିଯୋଗ ହୋଇଥିଲା। ଚାନ୍ଦିଲି ପଞ୍ଚାୟତର ସୁର୍ଲି ନିକଟ ଜାତୀୟ ରାଜପଥଠାରୁ ସୀମାନ୍ତ ବିକ୍ରମପୁର, କୋଟପାଡ଼ରୁ ବାସୁଲି-ଗୁମୁଣ୍ଡା ଦେଇ ଚିର୍ମାଘାଟ, ହର୍ଦୁଲିଠାରୁ ନେହୁରପାଲି, କୋଟପାଡ଼ଠାରୁ ଗୁଲିଗୁଡ଼ା-ନାରାହାଣ୍ଡି-ପଚିଆ-ଶଙ୍କର୍ଦା, ମୁର୍ତ୍ତାହାଣ୍ଡି-ବନ୍ଧଗୁଡ଼ା ଦେଇ ଖୋସଲାଖୋଡ଼କ ଏବଂ ବସ୍ତାଆମ୍ବଠାରୁ ଖଡ଼ଗପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଗୁଡ଼ିକ ଖାଲଖମାରେ ପୂର୍ଣ୍ଣ ହୋଇଥିବା ଯୋଗୁଁ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଛି। ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବାରୁ ସର୍ଗିଗୁଡ଼ା ଓ ଘୁମର ପଞ୍ଚାୟତର ସାମାଜିକ କର୍ମୀମାନେ ଏହି ରାସ୍ତାଗୁଡ଼ିକର ତୁରନ୍ତ ମରାମତି ପାଇଁ ଦାବି ଜଣାଇଥିଲେ। ଏଥିସହ ଚାଷୀଙ୍କ ସୁବିଧା ପାଇଁ ସର୍ଗିଗୁଡ଼ାରେ ତୁରନ୍ତ ଏକ ଧାନ କ୍ରୟ କେନ୍ଦ୍ର (ମଣ୍ଡି) ଖୋଲିବାକୁ ଅନୁରୋଧ କରାଯାଇଥିଲା।

ବହୁ ସମୟରେ ଜନଶୁଣାଣିରେ ଅଭିଯୋଗ ଦାଖଲ ହେବା ସତ୍ତ୍ୱେ କେତେକ ଦାୟିତ୍ୱହୀନ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା କାରଣରୁ ଫାଇଲ୍ ତଳେ ସମସ୍ୟା ଚାପି ହୋଇ ରହିଯାଉଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଆଭ୍ୟନ୍ତରୀଣ ତଦନ୍ତ କରାଯାଇ ଦୀର୍ଘ ଦିନରୁ ପଡ଼ିରହିଥିବା ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ କରାଗଲେ ସାଧାରଣ ଜନତା ପ୍ରକୃତ ଉପକାର ପାଇପାରିବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ରୋହିତ ବର୍ମା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ବେଣୁଧର ଶବର, ଉପ-ଜିଲ୍ଲାପାଳ ଯଦୁମଣି ନାଏକ, ଜିଲ୍ଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ରାଜେଶ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରବୀନ୍ଦ୍ର ନାଥ ଦାଶ ଏବଂ କୋଟପାଡ଼ ଏନ୍‌ଏସି ଅଧ୍ୟକ୍ଷ ଏମ୍. ଶଙ୍କର ରାଓଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ପ୍ରଶିକ୍ଷଣାଧୀନ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.