ଗଞ୍ଜାମ ଜିଲ୍ଲାରେ ବର୍ଷକୁ ହଜାରେ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଲଘୁଖଣିଜ ଲୁଟ; ମାଫିଆ,ଅଧିକାରୀ ଓ ନେତା ସାମିଲ – ଫରୱାର୍ଡ ବ୍ଲକ

କବିସୂର୍ଯ୍ୟନଗର,୦୮/୦୯: ଗଞ୍ଜାମ ଜିଲ୍ଲାରେ ଲଘୁଖଣିଜ ଚୋରି ବଢି ଚାଲିଛି । ଧର୍ମକୁ ଆଖିଠାର ଭଳି ଗାଡି ଧରାଯାଉଛି । ଲଘୁଖଣିଜ ଲୁଟ ଘଟଣାରେ ମାଫିଆ,ଅଧିକାରୀ ଓ ନେତାଙ୍କ ସଂପୃକ୍ତି ରହୁଛି । ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା,ବାହୁଦା,ବଡ ନଦୀ ଓ ବାଘୁଆ ନଦୀ ଉପରେ ମାଫିଆଙ୍କ ନଜର ପଡିଛି । ମାଫିଆ ମାନେ ବେଆଇନ ବାଲି ଚାଲଣ ସହିତ ବିଭିନ୍ନ ରାସ୍ତାର ପାର୍ଶ୍ବରେ ବାଲିର ପାହାଡ ଭଳି ବାଲି ଗଦା କରିଛନ୍ତି । ଅଧିକାଂଶ ନକଲି ୱାଇ ଫର୍ମରେ ବାଲି ଚାଲଣ ହେଉଛି ।
କବିସୂର୍ଯ୍ୟନଗର ତହସିଲ ଅନ୍ତର୍ଗତ ଦେଓ ଗାଁ ପାହାଡରେ ବେଆଇନ ପଥର ବ୍ଳାଷ୍ଟିଙ୍ଗ ଦ୍ବାରା ଶଦ୍ଦ ପ୍ରଦୂଷଣ ସହିତ ଦେଓ ଗାଁ ଓ ବୁଢାମ୍ବର କିଛି ସାହିରେ ଘର କାନ୍ଥ ମାନଙ୍କରେ ଫାଟ ସୃଷ୍ଟି ହୋଇଛି । ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବାସିନ୍ଦା କବିସୂର୍ଯ୍ୟନଗର ତହସିଲଦାରଙ୍କୁ ଲିଖିତ ଦରଖାସ୍ତ ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଦେଓ ଗାଁ ପାହାଡ ତଳେ ଏକ ଶିକ୍ଷାନୁଷ୍ଠାନ ରହିଛି । ଉକ୍ତ ଅଞ୍ଚଳରେ କୃଷ୍ଣସାର ମୃଗ,ମୟୁର,ବାରିହା, ଝିଙ୍କ,ବଜ୍ରକାପ୍ତା ଭଳି ବନ୍ୟଜନ୍ତୁଙ୍କ ବିଚରଣ ସ୍ଥଳୀ ହୋଇଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । କ୍ରସର ୟୁନିଟର ଧୂଳି ଓ ପଥର ବ୍ଳାଷ୍ଟିଙ୍ଗ ସମୟରେ ପଥର ଗଡି ଚାଷ ଜମିରେ ପଡି ଫସଲ ନଷ୍ଟ ହେବା ସହିତ ଚାଷ ଜମିରେ କାର୍ଯ୍ୟରତ ଚାଷୀ ଓ ଶ୍ରମିକଙ୍କ ଜୀବନ ପ୍ରତି ବିପଦ ରହିଛି । କ୍ରସର ୟୁନିଟର ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଯାଞ୍ଚ ସହିତ କ୍ରସର ୟୁନିଟ ପାଇଁ କେଉଁ ପାହାଡରୁ ପଥର ଉତ୍ତୋଳନ ଓ କେତେ ପରିମାଣର ଉତ୍ତୋଳନ ହୋଇଛି ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
କବିସୂର୍ଯ୍ୟନଗର ତହସିଲ ଅନ୍ତର୍ଗତ ଭାଟଖାଲି ପାହାଡରେ ବେଆଇନ ପଥର ବ୍ଳାଷ୍ଟିଙ୍ଗ ସହିତ ସେଠାରେ ବେଆଇନ କ୍ରସର, ବେଆଇନ ବାଲିର ପାହାଡ ରହିଛି । କ୍ରସର ୟୁନିଟର ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଓ କେଉଁ ପାହାଡରୁ କେତେ ପରିମାଣର ପଥର ଉତ୍ତୋଳନ ପାଇଁ ଅନୁମତି ରହିଛି ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପଥର ବ୍ଳାଷ୍ଟିଙ୍ଗ ଦ୍ବାରା ବନ୍ୟଜନ୍ତୁ ଓ ଜନଜୀବନ ପ୍ରତି ବିପଦ ରହିଛି । ବିଗତ ଦିନରେ ଭାଟଖାଲି ପାହାଡକୁ ନେଇ ପୁଲିସ ନିର୍ଯ୍ୟାତନାରେ ଜଣେ ବିକଳାଙ୍ଗ ଯୁବକର ମୃତ୍ୟୁ ହୋଇ ଥିଲା ।
କବିସୂର୍ଯ୍ୟନଗର ତହସିଲ ଅନ୍ତର୍ଗତ ଜରଡ କ୍ରସର ୟୁନିଟ ନିକଟରେ ଗତ କିଛି ଦିନ ତଳେ କଲରାପତ୍ରିଆ ବାଘ ଶିକାର ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା । ଜରଡ କ୍ରସର ୟୁନିଟର ପ୍ରଦୂଷଣ ପ୍ରମାଣପତ୍ରର ବୈଧତା ଯାଞ୍ଚ ସହିତ ପଥର ଉତ୍ତୋଳନ ପରମାଣ ଯାଞ୍ଚ କରାଯାଉ । ସେହିଭଳି ଗୁଡିଆଳି,ଜରଡ,ବଡଆଗୁଳ,ଖଇରପଲ୍ଲୀ ପହାଡରେ କମ୍ପ୍ରସର ଲଗାଇ ବାରୁଦ ବ୍ୟବହାର କରି ବେଆଇନ ପଥର ବ୍ଳାଷ୍ଟିଙ୍ଗ କରାଯାଉଛି । ଗୋଲମୁଣ୍ଡୁଳା ନିକଟ ବାଘୁଆ ନଦୀର ଉଭୟ ପଟୁ ବେଆଇନ ବାଲି ଚାଲଣ କରାଯାଉଛି ।
ଖଲ୍ଲିକୋଟ,ଛତ୍ରପୁର,ପୁରୁଷୋତ୍ତମପୁର,କୋଦଳା,ଆସିକା,ପୋଲସରା,ଧରାକୋଟ,ଶେରଗଡ,ହିଞ୍ଜିଳିକାଟୁ,କୁକୁଡାଖଣ୍ଡି,କନିଷି,ଚିକିଟି ତହସିଲ ସମେତ ଅନ୍ୟ ତହସିଲ ଅଞ୍ଚଳରେ ଲଘୁଖଣିଜ ବର୍ଷକୁ ହଜାରେ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଲୁଟ ହେଉଥିବା ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଛି । ଖଣି ଉପ ନିର୍ଦ୍ଦେଶକ,ବ୍ରହ୍ମପୁର କାର୍ଯ୍ୟାଳୟକୁ ସୂଚନା ତଥ୍ୟ ମାଗିଲେ ତଥ୍ୟ ମିଳିବାକୁ ନାହିଁ । ବେଆଇନ ବାଲି,ପଥର ଓ ମୋରମ ଚାଲଣ ଏବଂ ବେଆଇନ କ୍ରସର ୟୁନିଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାମାଜିକ କର୍ମୀ ତଥା ଫରୱାର୍ଡ ବ୍ଲକର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,ଅତିରିକ୍ତ ମୁଖ୍ୟ ଶାସନ ସଚିବ,ଇସ୍ପାତ ଓ ଖଣି ବିଭାଗ,ଓଡ଼ିଶା,ଖଣି ନିର୍ଦ୍ଦେଶକ,ଭିଜିଲାନ୍ସ ବିଭାଗ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଜଣାଇଛନ୍ତି ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀ,ସମ୍ପାଦକ ସପ୍ନେଶ୍ବର ପାଣିଗ୍ରାହୀ,କୋଷାଧ୍ୟକ୍ଷ ମିଥୁନ ବେହେରା,ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ଓ ଜିଲ୍ଲା କମିଟି ସଦସ୍ୟ ବାଉରୀ ବଂଧୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଫରୱାର୍ଡ ବ୍ଲକ ପକ୍ଷରୁ କୁହାଯାଇଛି ଯେ ଓଡିଶାର ସବୁଠାରୁ ଅଧିକ ଭ୍ରଷ୍ଟ ଖଣି ବିଭାଗ । ଗଞ୍ଜାମ ଜିଲ୍ଲାର ଲଘୁଖଣିଜ ଲୁଟ ଘଟଣାରେ ମାଫିଆ,ଅଧିକାରୀ ଓ ନେତା ସାମିଲ ଥିବାରୁ ଏହାର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
