
କୋରାପୁଟ /ଦମନଯୋଡ଼ି : ପରିବେଶ ସଚେତନତା ଅଭିଯାନ-2026ର ଅଂଶ ଭାବେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି), କୋରାପୁଟ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏମ୍/ଏସ୍ ନାଲ୍କୋ, ଦlମନଯୋଡ଼ିର ସହଯୋଗରେ ଦlମନଯୋଡ଼ିସ୍ଥିତ ନାଲ୍କୋ ସମ୍ମିଳନୀ କକ୍ଷଠାରେ “ପରିବେଶ ଅନୁକୂଳ ବ୍ୟାଗ ବଣ୍ଟନ ଓ ଚାରା ବଣ୍ଟନ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ନାଲ୍କୋର ଅଧିକାରୀ, ସ୍ଥାନୀୟ ବ୍ୟବସାୟୀ, ବଣିକ, କୃଷକ, ଅଞ୍ଚଳବାସୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ପ୍ରାୟ 200 ଜଣ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ଏସ୍ପିସିବିର ଆଞ୍ଚଳିକ ଅଧିକାରୀ ଦୀପେଶ ବିଶ୍ୱାଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ନାଲ୍କୋର ଇଡି (ଏମ୍ ଆଣ୍ଡ୍ ଆର୍) ଅମରେନ୍ଦ୍ର ମିଶ୍ର, ସିଜିଏମ୍ (ଏଆର୍) ଦିଲୀପ ବାଗ୍ ଏବଂ ସିଜିଏମ୍ (ଏନ୍ଭି) ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ (ଏସ୍ୟୁପି)ର ପରିବେଶ ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ସଚେତନ କରାଯାଇଥିଲା। ଏଥିସହ ପ୍ଲାଷ୍ଟିକ୍ର ବିକଳ୍ପ ଭାବେ ପରିବେଶ ଅନୁକୂଳ ଓ ସ୍ଥାୟୀ ସାମଗ୍ରୀ ବ୍ୟବହାର ପାଇଁ ଆହ୍ୱାନ କରାଯାଇଥିଲା।
ଏମ୍/ଏସ୍ ଅମାୟରା ଏଣ୍ଟରପ୍ରାଇଜେସ୍, ଜୟପୁରର ପ୍ରତିନିଧିମାନେ—ସିପିସିବି ପ୍ରମାଣିତ କମ୍ପୋଷ୍ଟେବଲ୍ କ୍ୟାରି ବ୍ୟାଗ୍ର ନିର୍ମାତା—ଡାଇକ୍ଲୋରୋମିଥେନ୍ (ଡିସିଏମ୍) ପରୀକ୍ଷଣର ପ୍ରଦର୍ଶନ କରିବା ସହ କମ୍ପୋଷ୍ଟେବଲ୍ ବ୍ୟାଗ୍ର ଉପକାରିତା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।
ଏହି ଅବସରରେ ପ୍ଲାଷ୍ଟିକ୍ ବ୍ୟବହାରରୁ ସୃଷ୍ଟି ହେଉଥିବା ସମସ୍ୟା, ସ୍ଥାୟୀ ବିକଳ୍ପର ଆବଶ୍ୟକତା ଏବଂ ବ୍ୟବସାୟୀ, ଉପଭୋକ୍ତା ଓ ବିଭିନ୍ନ ଅନୁଷ୍ଠାନର ମିଳିତ ଦାୟିତ୍ୱ ଉପରେ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ପରିବେଶ ଅନୁକୂଳ କପଡ଼ା ବ୍ୟାଗ୍, ବିଭିନ୍ନ ଚାରା, ଶାଳପତ୍ର/ଖୋଇ ଓ କାଠ ଆଧାରିତ କଟଲେରୀ ବଣ୍ଟନ କରାଯାଇ ଶେଷରେ ସମସ୍ତ ଅଂଶଗ୍ରହଣକାରୀ ମିଶନ୍ ଲାଇଫ୍ (LiFE) ପ୍ରତିଜ୍ଞା ଗ୍ରହଣ କରିଥିଲେ। ପରିବେଶ ସୁରକ୍ଷା, ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ ଏବଂ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇବା ଦିଗରେ ଏହି କାର୍ଯ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରlଇବାରେ ସହାୟକ ହେବ ।
