
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ସୁନାମୁହିଁ ପଞ୍ଚାୟତ ମାଳିଆଝୋଲାର ବିପ୍ରଚରଣ ନାୟକ(୫୭) ଦୋକାନରୁ ସଉଦା କିଣୁଥିବା ବେଳେ ତାଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଓଡ଼ଗାଁ ପୋଲିସ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ପଙ୍କଳସାହି ଗାଁର କୁସୁମ ନାୟକଙ୍କ ପୁଅ ତପନ ନାୟକ (୨୬)କୁ ଭଞ୍ଜନଗର ଥାନା ରାଜକୁଣ୍ଡ ଗାଁରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଜାମିନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ସୂଚନା ଅନୁଯାୟୀ ବିପ୍ରଚରଣଙ୍କ ସାନ ଝିଅକୁ ତପନ ବିବାହ କରିଥିଲେ ମାତ୍ର ତପନ ସ୍ତ୍ରୀକୁ ମାରପିଟ୍ କରୁଥିବାରୁ ୪ମାସ ହେବ ତପନର ସ୍ତ୍ରୀ ବାପଘର ମାଳିଆଝୋଲାକୁ ପଳାଇ ଆସିଥିଲା ।ତପନ ବାରମ୍ବାର ଡାକିବା ସତ୍ତ୍ୱେ ସ୍ତ୍ରୀ ନଯିବାରୁ ଗତ ଅଗଷ୍ଟ ୨୯ ତାରିଖ ପ୍ରାୟ ରାତି ୯ଟା ସମୟରେ ବିପ୍ରଚରଣ ଗାଁ ଦୋକାନରୁ ସଉଦା କିଣିବା ବେଳେ ଜ୍ବାଇଁ ତପନ ସେଠାରେ ପହଞ୍ଚି ହାତରେ ଧରିଥିବା ମାଛକଟା ପନିକିରେ ବିପ୍ରଚରଣ ର ମୁଣ୍ଡକୁ ଆକ୍ରମଣ କରିଥିଲେ । ମାତ୍ର ବିପ୍ରଚରଣ ବୁଲି ପଡ଼ିବାରୁ କାନ ମୁଣ୍ଡାରୁ ଗାଲ ପର୍ଯ୍ୟନ୍ତ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ବିପ୍ରଚରଣ କୁ ପ୍ରଥମେ ଓଡ଼ଗାଁ ଡାକ୍ତରଖାନା ଓ ପରେ ଏମ୍ସ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।ଏହାକୁ ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହେବା ପରେ ଓଡ଼ଗାଁ ପୋଲିସ ୩୧୪/୨୬ରେ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲେ ।ଓଡ଼ଗାଁ ପୋଲିସ ତପନର ମୋବାଇଲକୁ ଟ୍ରାକିଂ କରି ଭଞ୍ଜନଗର ପୋଲିସ ସହଯୋଗରେ ରାଜକୁଣ୍ଡ ଗାଁରେ ଲୁଚିଥିବା ତପନ କୁ ଗିରଫ କରିଥିଲେ ।
