ଭୁବନେଶ୍ୱର: ବାହାର ରାଜ୍ୟରେ ନିଖୋଜ ଥିବା, ଶିଶୁ ଶ୍ରମରେ ନିୟୋଜିତ ଏବଂ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ଫସି ରହିଥିବା ଓଡ଼ିଆ ଶିଶୁଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍ ଅନ୍ୱେଷଣ’କୁ ମିଳିଛି ବଡ଼ ସଫଳତା। ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ଦେଶର ୧୭ଟି ରାଜ୍ୟରୁ ମୋଟ ୧୦୧ ଜଣ ଓଡ଼ିଆ ଶିଶୁଙ୍କୁ ଉଦ୍ଧାର କରାଯାଇଛି।
ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀମତୀ ଏସ୍ ସାଇନି ସୂଚନା ଦେଇଛନ୍ତି ଯେ, ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରେ ୫୪ ଜଣ ବାଳକ ଏବଂ ୪୭ ଜଣ ବାଳିକା ରହିଛନ୍ତି। ଓଡ଼ିଶା ପୋଲିସର ଡିଏସ୍ପି ପାହ୍ୟାର ଅଧିକାରୀ ଓ ମହିଳା-ଶିଶୁ ବିକାଶ ବିଭାଗର ‘ଲିଗାଲ୍ କମ୍ ପ୍ରୋବେସନ୍ ଅଫିସର’ଙ୍କୁ ନେଇ ୧୭ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ଗୁଡ଼ିକ ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ନୂଆଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ ଓ କେରଳରେ ସ୍ଥାନୀୟ ପୋଲିସ ସହାୟତାରେ ଚଢ଼ାଉ କରିଥିଲେ।
ପଶ୍ଚିମବଙ୍ଗରୁ ସର୍ବାଧିକ ଉଦ୍ଧାର
- ପଶ୍ଚିମବଙ୍ଗ: ବାଲେଶ୍ୱର ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଡିଏସ୍ପି ବାମଦେବ ନନ୍ଦଙ୍କ ନେତୃତ୍ୱରେ ସର୍ବାଧିକ ୩୦ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି।
- କର୍ଣ୍ଣାଟକ: ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରେଞ୍ଜର ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ୧୧ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।
- ଝାଡ଼ଖଣ୍ଡ: ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜର ଡିଏସ୍ପି ଜ୍ୟୋତ୍ସ୍ନାରାଣୀ ବେହେରାଙ୍କ ନେତୃତ୍ୱରେ ୧୦ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି।
- ତାମିଲନାଡୁ: ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରେଞ୍ଜର ଡିଏସ୍ପି ଗିରିଜାନନ୍ଦନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।
ଉଦ୍ଧାର ତଥ୍ୟର ବିବରଣୀ
- ଅପହରଣ ମାମଲାରେ ନିଖୋଜ ଶିଶୁ: ପୂର୍ବରୁ ଏଫ୍ଆଇଆର୍ ରୁଜୁ ହୋଇଥିବା ୧୧ ଜଣ (୨ ପୁଅ ଓ ୯ ଝିଅ) ଶିଶୁ ଉଦ୍ଧାର।
- ଶିଶୁ ଶ୍ରମିକ: ବିଭିନ୍ନ ଲେବର ସାଇଟ୍ରେ କାମ କରୁଥିବା ୭ ଜଣ (୬ ପୁଅ ଓ ୧ ଝିଅ) ଶିଶୁ ମୁକ୍ତ।
- ଶିଶୁ ଯତ୍ନ ଅନୁଷ୍ଠାନ (CCI): ବିଭିନ୍ନ ଅନୁଷ୍ଠାନରୁ ୮୩ ଜଣ (୪୬ ପୁଅ ଓ ୩୭ ଝିଅ) ଓଡ଼ିଆ ଶିଶୁ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୮୦ ଜଣଙ୍କୁ ଓଡ଼ିଶା ଫେରାଇ ଅଣାଯାଇଛି ଏବଂ ବାକି ଶିଶୁଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି।
ମା’ ଓ ଶିଶୁଙ୍କୁ ଏକାଠି କରିବା ପାଇଁ ପଦକ୍ଷେପ
ଅଭିଯାନ ସମୟରେ ବାହାର ରାଜ୍ୟରେ ଥିବା ଜଣେ ନାବାଳିକା ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଥିଲା। ଉକ୍ତ ୩ ମାସର ଶିଶୁ ଓ ନାବାଳିକା ମା’ଙ୍କୁ ଏକାଠି ଓଡ଼ିଶା ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଇଛି। ସେହିପରି ଅନ୍ୟ ଏକ ଘଟଣାରେ ଚାଇଲ୍ଡ କେୟାର୍ ହୋମ୍ରେ ଥିବା ପ୍ରାୟ ୧ ବର୍ଷର ଶିଶୁର ମା’ଙ୍କୁ ଚିହ୍ନଟ କରାଯାଇ ଉଭୟଙ୍କୁ ଏକାଠି କରିବାକୁ ପ୍ରକ୍ରିୟା ଚାଲିଛି।
ବାହାର ରାଜ୍ୟରେ ଅସୁରକ୍ଷିତ ଥିବା ଓଡ଼ିଆ ଶିଶୁଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା, ଆବଶ୍ୟକ ଆଇନଗତ ସୁରକ୍ଷା ଓ ଉପଯୁକ୍ତ ପୁନର୍ବାସ ଯୋଗାଇଦେଇ ପରିବାର ସହ ପୁନଃମିଳନ କରାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ଏଡିଜି ଶ୍ରୀମତୀ ସାଇନି ପ୍ରକାଶ କରିଛନ୍ତି।
