ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍) : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାଏବଗା ରୋଡ୍ ଅଞ୍ଚଳରେ ଘଟିଥିବା ବନ୍ଦ ଘର ଚୋରି ଘଟଣାର ପର୍ଦ୍ଦାଫାସ କରିବାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ପୁଲିସ ଜଣେ ସରକାରୀ ଶିକ୍ଷୟିତ୍ରୀଙ୍କ ସମେତ ଦୁଇ ମହିଳା ଓ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଚୋରି ହୋଇଥିବା ସୁନା-ରୂପା ଅଳଙ୍କାର, ନଗଦ ଟଙ୍କା ଏବଂ ଲାପଟପ୍ ଜବତ କରାଯାଇଛି।
ସୂଚନା ଅନୁସାରେ, ଗତ ୯ ତାରିଖରେ ରାଏବଗା ରୋଡ୍ ବାସିନ୍ଦା ସାବିର ହୁସେନ ନିଜ ପରିବାର ସହିତ ୫ ଦିନ ପାଇଁ କୋଲକାତା ଯାଇଥିଲେ। କୋଲକାତାରୁ ଫେରିବା ପରେ ଘରର ପଛପଟ ଭେଣ୍ଟିଲେଟର ଭଙ୍ଗା ଯାଇଥିବା ସେ ଦେଖିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ଘର ଭିତରେ ପଶି ଆଲମିରା ଭାଙ୍ଗି ମୂଲ୍ୟବାନ ସୁନା-ରୂପା ଅଳଙ୍କାର, ନଗଦ ଟଙ୍କା ଓ ଲାପଟପ୍ ଚୋରି କରି ନେଇଥିବା ଜଣାପଡ଼ିଥିଲା। ଏନେଇ ସାବିର ହୁସେନ ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ପୁଲିସ କେସ୍ ନଂ ୪୦୭/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ଡଗ୍ ସ୍କ୍ୱାଡ୍ ସହାୟତାରେ ଯାଞ୍ଚ କରାଯାଇଥିଲା। ପରେ ଥାନା ଅଧିକାରୀ (ଆଇଆଇସି) ରାମ ପ୍ରସାଦ ନାଗଙ୍କ ନିର୍ଦ୍ଦେଶରେ ଏଏସଆଇ ଶ୍ରୀକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ ହୋଇଥିଲା।
ଚଢ଼ଉ ବେଳେ ପୁଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ—
୧. ମିସ୍ତ୍ରୀଦଫେଇର ଆୟାନ ଆଲମ (୨୦)
୨. କୋଳଦଫେଇର ରାହୁଲ ମହାନନ୍ଦିଆ (୩୩)
୩. ରେବତୀ ପ୍ରଧାନ (୪୫)
୪. କୁଆଁରମୁଣ୍ଡା ଅଞ୍ଚଳର ପ୍ରଭାବତୀ ଦେବୀ (୬୦)
ଗିରଫ ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ସରକାରୀ ସ୍କୁଲର ଶିକ୍ଷୟିତ୍ରୀ ଥିବା ଜଣାପଡ଼ିଛି। ପୁଲିସ ସେମାନଙ୍କ ନିକଟରୁ ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର କରିଛି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ୩ ଜଣ ଅଭିଯୁକ୍ତ ଏବେ ବି ଫେରାର୍ ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାପାମାରି ଜାରି ରହିଛି ଏବଂ ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
