ଉତ୍ତମ ବିଦ୍ୟୁତ୍ ବଣ୍ଟନ ଓ ୟୁଏଲ୍ଏ ମଡେଲ୍ ଅଧୀନରେ ଛାତରେ ସୌର ଶକ୍ତି ଗ୍ରହଣ ପାଇଁ ସ୍ୱୀକୃତି
ବ୍ରହ୍ମପୁର, ସେପ୍ଟେମ୍ବର ୨୦୨୬: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍)କୁ ନୂଆଦିଲ୍ଲୀରେ ଆୟୋଜିତ ‘ ଦି ଇକୋନୋମିକ୍ ଟାଇମ୍ସ ଏନର୍ଜି ଲିଡରଶିପ୍ ଆୱାର୍ଡସ୍ ୨୦୨୬ ’ରେ ଦୁଇଟି ପ୍ରତିଷ୍ଠିତ ସମ୍ମାନ ମିଳିଛି। ବିଦ୍ୟୁତ୍ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ବୃହତ୍ କମ୍ପାନୀ ବର୍ଗରେ ବିଚାରକମଣ୍ଡଳୀ ପକ୍ଷରୁ କମ୍ପାନୀକୁ ସମ୍ମାନିତ କରାଯାଇଥିବା ବେଳେ, ୟୁଟିଲିଟି-ଲେଡ୍ ଆଗ୍ରିଗେସନ୍ (ୟୁଏଲ୍ଏ) ମଡେଲ୍ ଅଧୀନରେ ଛାତରେ ସୌର ଶକ୍ତି ବ୍ୟବହାର ବଢ଼ାଇବା ପାଇଁ ଶ୍ରେଷ୍ଠ ଶକ୍ତି ପ୍ରକଳ୍ପ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।
ଏହି ସମ୍ମାନ ଟିପିଏସ୍ଓଡିଏଲ୍ର ଉତ୍ତମ କାର୍ଯ୍ୟ ପରିଚାଳନା, ଗ୍ରାହକଙ୍କୁ ପ୍ରାଥମିକତା ଦେଇ ସେବା ଯୋଗାଇବା, ନୂଆ ପଦକ୍ଷେପ ଏବଂ ନିରନ୍ତର ଉନ୍ନତି ପାଇଁ କମ୍ପାନୀର ପ୍ରୟାସକୁ ସ୍ୱୀକାର କରୁଛି। ଏଥିସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ସହ ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ଦ୍ରୁତଗତିରେ ବଢ଼ାଇବା ଦିଗରେ କମ୍ପାନୀର ପ୍ରୟାସକୁ ମଧ୍ୟ ଏହା ମାନ୍ୟତା ଦେଇଛି। ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ଅବଦାନ ରଖୁଥିବା ସଂସ୍ଥା ଏବଂ ନୂଆ ପଦକ୍ଷେପଗୁଡ଼ିକୁ ‘ଏନର୍ଜି ଲିଡରଶିପ୍ ଆୱାର୍ଡସ୍’ ମାଧ୍ୟମରେ ସମ୍ମାନିତ କରାଯାଏ।
‘ଶକ୍ତି କମ୍ପାନୀ ପୁରସ୍କାର – ବିଦ୍ୟୁତ୍, ବୃହତ୍ କମ୍ପାନୀ ବର୍ଗ | ବିଚାରକମଣ୍ଡଳୀ ସ୍ୱୀକୃତି’ ମାଧ୍ୟମରେ ଦକ୍ଷିଣ ଓଡ଼ିଶାର ମୁଖ୍ୟତଃ ଗ୍ରାମାଞ୍ଚଳକୁ ନେଇ ଗଠିତ ବିଦ୍ୟୁତ୍ ବଣ୍ଟନ ଅଞ୍ଚଳରେ ନିରାପଦ, ନିର୍ଭରଯୋଗ୍ୟ ଓ ଦକ୍ଷ ବିଦ୍ୟୁତ୍ ଯୋଗାଣ କରିବା ସହ ଗ୍ରାହକଙ୍କୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ପାଇଁ ଟିପିଏସ୍ଓଡିଏଲ୍ର ପ୍ରୟାସକୁ ସ୍ୱୀକୃତି ମିଳିଛି।
‘ୟୁଟିଲିଟି-ଲେଡ୍ ଆଗ୍ରିଗେସନ୍ (ୟୁଏଲ୍ଏ) ମଡେଲ୍ ଅଧୀନରେ ଛାତରେ ସୌର ଶକ୍ତି ବ୍ୟବହାର’ ପାଇଁ ଶ୍ରେଷ୍ଠ ଶକ୍ତି ପ୍ରକଳ୍ପ ପୁରସ୍କାର ମାଧ୍ୟମରେ ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା ଲଗାଇବାକୁ ଅଧିକ ସହଜ ଓ ସୁଲଭ କରିବା ଦିଗରେ ଟିପିଏସ୍ଓଡିଏଲ୍ର ନୂଆ ପଦକ୍ଷେପକୁ ସ୍ୱୀକୃତି ମିଳିଛି। ୟୁଏଲ୍ଏ ମଡେଲ୍ ଅଧୀନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଗ୍ରାହକମାନେ ୧,୮୭୫ ଟଙ୍କା ନିଜ ଅଂଶ ଦେଇ ୧ କିଲୋୱାଟ୍ର ଛାତ ସୌର ଶକ୍ତି ବ୍ୟବସ୍ଥା ଲଗାଇପାରୁଛନ୍ତି। ଗ୍ରାହକମାନଙ୍କୁ ଏକାଠି କରିବା, ସାମଗ୍ରୀ ଯୋଗାଣ, ସୌର ବ୍ୟବସ୍ଥା ଲଗାଇବାର ସମନ୍ୱୟ, ଗୁଣବତ୍ତା ନିଶ୍ଚିତ କରିବା ଏବଂ ବ୍ୟବସ୍ଥାର ବ୍ୟବହାର ଅବଧିରେ ଆବଶ୍ୟକ ସହାୟତା ଯୋଗାଇବା ଭଳି କାର୍ଯ୍ୟରେ ଟିପିଏସ୍ଓଡିଏଲ୍ ସହଯୋଗ କରୁଛି।
ଏହି ପଦକ୍ଷେପକୁ ଭଲ ପ୍ରତିକ୍ରିୟା ମିଳିଥିବା ବେଳେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଛାତ ସୌର ଶକ୍ତି ବ୍ୟବସ୍ଥା ସ୍ଥାପନ କରାଯାଇଛି। ଏହା ମାଧ୍ୟମରେ ଅଞ୍ଚଳରେ ଅଧିକ ସ୍ୱଚ୍ଛ ଓ ଦୀର୍ଘସ୍ଥାୟୀ ଶକ୍ତି ବ୍ୟବହାର ଦିଗରେ ପରିବର୍ତ୍ତନକୁ ସହାୟତା ମିଳୁଛି। ସୌର ଶକ୍ତି ବ୍ୟବହାର ପାଇଁ ଗ୍ରାହକମାନଙ୍କୁ ଉତ୍ସାହିତ କରିବା ଲାଗି କମ୍ପାନୀ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓ ଗ୍ରାହକଙ୍କ ସହ ଯୋଗାଯୋଗ କାର୍ଯ୍ୟକ୍ରମ ମଧ୍ୟ ନିଆଯାଇଛି।
ଏହି ଅବସରରେ ଟିପିଏସ୍ଓଡିଏଲ୍ର ସିଇଓ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “୨୦୨୬ର ଇକୋନୋମିକ୍ ଟାଇମ୍ସ ଏନର୍ଜି ଲିଡରଶିପ୍ ଆୱାର୍ଡସ୍ରେ ଏହି ଦୁଇଟି ପ୍ରତିଷ୍ଠିତ ସ୍ୱୀକୃତି ପାଇ ଆମେ ଗର୍ବିତ। ଏହି ପୁରସ୍କାର ଆମ ଟିମ୍ର ନିଷ୍ଠା, ଗ୍ରାହକମାନଙ୍କ ବିଶ୍ୱାସ ଏବଂ ନିରନ୍ତର ଉନ୍ନତିର ଆମ କାର୍ଯ୍ୟ ସଂସ୍କୃତିକୁ ପ୍ରତିଫଳିତ କରୁଛି। ୟୁଏଲ୍ଏ ଅଧୀନରେ ଛାତ ସୌର ଶକ୍ତି ପଦକ୍ଷେପ ପାଇଁ ମିଳିଥିବା ସ୍ୱୀକୃତି ଆମ ପାଇଁ ବିଶେଷ ଉତ୍ସାହଜନକ, କାରଣ ଏହା ସ୍ୱଚ୍ଛ ଶକ୍ତିକୁ ଅଧିକ ସହଜ ଓ ସୁଲଭ କରିବା ଦିଗରେ ଆମ ପ୍ରୟାସକୁ ସ୍ୱୀକାର କରୁଛି। ଆମେ ଆଗକୁ ମଧ୍ୟ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା, ନୂଆ ପ୍ରଯୁକ୍ତି ଓ ପଦକ୍ଷେପକୁ ଆପଣାଇବା ଏବଂ ଏକ ଦୃଢ଼ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶକ୍ତି କ୍ଷେତ୍ର ପାଇଁ ଦୀର୍ଘସ୍ଥାୟୀ ସମାଧାନ ତିଆରି କରିବା ଜାରି ରଖିବୁ।”
ଏହି ପୁରସ୍କାରଗୁଡ଼ିକ ଉତ୍ତମ କାର୍ଯ୍ୟ ପରିଚାଳନା, ଦୀର୍ଘସ୍ଥାୟୀ ଶକ୍ତି ବ୍ୟବହାର ଏବଂ ଗ୍ରାହକଙ୍କୁ କେନ୍ଦ୍ରରେ ରଖି ନୂଆ ପଦକ୍ଷେପ ନେବା ଦିଗରେ ଟିପିଏସ୍ଓଡିଏଲ୍ର ନିରନ୍ତର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି। ଏଥିସହ ଦକ୍ଷିଣ ଓଡ଼ିଶାରେ ଅଧିକ ନିର୍ଭରଯୋଗ୍ୟ, ସମସ୍ତଙ୍କ ପାଇଁ ସୁଲଭ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶକ୍ତି ବ୍ୟବସ୍ଥା ଗଠନରେ କମ୍ପାନୀର ଭୂମିକାକୁ ଆହୁରି ମଜବୁତ କରୁଛି।
