କୁକୁଡାଖଣ୍ଡିରେ ବୋମାମାଡ଼କୁ ନେଇ ଉତ୍ତେଜନା : ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଲେ ଗ୍ରାମବାସୀ, ପୋଲିସ ଗାଡ଼ି ଭଙ୍ଗାରୁଜା…

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସକାଳେ ଖଣ୍ଡା ଚୋଟ ଓ ସନ୍ଧ୍ୟାରେ ବୋମାମାଡ଼ ଘଟଣା ସାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହାପରେ ଅପରାହ୍ନ ପ୍ରାୟ ୪ଟା ସମୟରେ କୁକୁଡାଖଣ୍ଡି ବାଉରୀ ସାହିରେ ପଶି ଦୁର୍ବୃତ୍ତମାନେ ତିନୋଟି ବୋମା ମାଡ଼ କରିଥିଲେ। ସେଥିମଧ୍ୟରୁ ଗୋଟିଏ ବୋମା ଫୁଟିଥିବା ବେଳେ ଅନ୍ୟ ଦୁଇଟି ଅଫୁଟା ରହିଥିଲା। ବୋମାମାଡ଼ କରି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀମାନେ ଦୁଇ ଜଣ ଯୁବକଙ୍କୁ କାବୁ କରି ଏକ କୋଠଘରେ ତାଲା ପକାଇ ରଖିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ସେଠାରେ ପହଞ୍ଚିଥିଲେ ମଧ୍ୟ ଗ୍ରାମବାସୀ ଅଭିଯୁକ୍ତମାନଙ୍କୁ ପୋଲିସ ଜିମା ଦେବାକୁ ମନା କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ପୋଲିସକୁ କୋଠଘରର ତାଲା ଭାଙ୍ଗି ଅଭିଯୁକ୍ତମାନଙ୍କୁ ଉଦ୍ଧାର କରିବାକୁ ପଡ଼ିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ପୋଲିସ ଗାଡ଼ି ଭଙ୍ଗାରୁଜା କରିବା ସହ ରାତି ୨ଟା ପର୍ଯ୍ୟନ୍ତ ପୋଲିସକୁ ନାକେଦମ କରିଥିଲେ। ଗାଁ ମଧ୍ୟରେ ଏଭଳି ହିଂସାକାଣ୍ଡକୁ ବିରୋଧ କରିବା ସହ ସାହିରେ ସିସିଟିଭି ବ୍ୟବସ୍ଥା ଓ ସୁରକ୍ଷା ଯୋଗାଇ ଦେବାକୁ ବାଉରୀ ସାହି ବାସିନ୍ଦା ଦାବି କରିଛନ୍ତି।

ଆଜି ଏହି ଘଟଣାକୁ ନେଇ କୁକୁଡାଖଣ୍ଡିରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସରପଞ୍ଚ ବନ୍ଦନା ସେଠୀ, ପ୍ରଶାସନିକ ଅଧିକାରୀ ଓ ପୋଲିସ ଉପସ୍ଥିତ ରହି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଆଜି ଜନପ୍ରତିନିଧି ଏବଂ ପ୍ରଶାସନ ଏବଂ ବିଧାୟକ ଦାସ ସାହି ପହଞ୍ଚି ଶାନ୍ତିପୂର୍ଣ୍ଣ ବୈଠକ ବସିଥିବା ବେଳେ ବିଧାୟକ ଙ୍କ କିଛି ମନ୍ତବ୍ୟ କୁ ନେଇ ତାତିଲେ ସାହି ବାସିନ୍ଦା। ସମାଧାନ ବଦଳରେ ସ୍ଥାନ ଛାଡି ଚାଲିଗଲେ ବିଧାୟକ। ଗାଁର ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସିଟିଭି ଲଗାଇବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ବ୍ରହ୍ମପୁର ଏସପି ଡାକ୍ତର ସର୍ବଣା ବିବେକ ଏମ୍‌ଙ୍କ ସୂଚନା ଅନୁସାରେ, ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ଉଭୟ ଗୋଷ୍ଠୀର କିଛି ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଶାନ୍ତି ବଜାୟ ରଖିବା ପାଇଁ ଗାଁରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୋଷ୍ଠୀ ସଂଘର୍ଷ ଉଗ୍ର ରୂପ ନେଇଥିବାରୁ ପୋଲିସ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.