ଏମକେସିଜି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ରୋଗୀ, ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଅବହେଳା ପଦାରେ…

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ ଘଟି ଏକ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି। ମେଡିକାଲର ଦ୍ୱିତୀୟ ମହଲାରେ ଥିବା ଅପରେସନ ଥିଏଟରର (ଓଟି) ନିଶ୍ଚେତକ ବିଭାଗରେ ଗତକାଲି ହଠାତ ନିଆଁ ଲାଗିଯାଇଥିଲା। ଏୟାର କଣ୍ଡିସନର (ଏସି)ରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ସୌଭାଗ୍ୟବଶତଃ, ସେହି ସମୟରେ ଓଟି ମଧ୍ୟରେ କୌଣସି ରୋଗୀ ନଥିବାରୁ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଛି।

ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଘଟଣରେ କୌଣସି ଜୀବନହାନି କିମ୍ବା ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ମାତ୍ର ଏହି ଘଟଣା ପରେ ମେଡିକାଲର ଅନ୍ୟ କୋଠାରେ ଥିବା ରୋଗୀଙ୍କ ସମ୍ପର୍କୀୟମାନେ ଅତ୍ୟନ୍ତ ଭୟଭୀତ ହୋଇ ପଡ଼ିଥିଲେ। ହସ୍ପିଟାଲ ପରିସରରେ କିଛି ସମୟ ପାଇଁ ଆତଙ୍କର ବାତାବରଣ ଖେଳିଯାଇଥିଲା।

ଏହି ଦୁର୍ଘଟଣା ପରେ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ଏକ ବଡ଼ ଧରଣର ଅବହେଳା ସାମ୍ନାକୁ ଆସିଛି। ବିଭାଗର ପ୍ରବେଶ ପଥରେ ଲଗାଯାଇଥିବା ଅଗ୍ନି ନିରାପତ୍ତା ସିଲିଣ୍ଡର ଗୁଡ଼ିକର ଅବଧି ବହୁ ପୂର୍ବରୁ ସରିଯାଇଥିଲେ ମଧ୍ୟ ସେଗୁଡ଼ିକୁ ବଦଳାଯାଇ ନାହିଁ। ରିପୋର୍ଟ ଅନୁସାରେ, ସିଲିଣ୍ଡରଗୁଡ଼ିକର ଅବଧି ଶେଷ ହୋଇଥିଲେ ସୁଦ୍ଧା କର୍ତ୍ତୃପକ୍ଷ ନୂତନ ଗ୍ୟାସ ଫିଲିଙ୍ଗ କିମ୍ବା ନୂଆ ସିଲିଣ୍ଡର ଲଗାଇବା ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ଏଭଳି ସମ୍ବେଦନଶୀଳ ବିଭାଗରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଥିବା ଏହି ତ୍ରୁଟି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରୋଗୀଙ୍କ ସୁରକ୍ଷାକୁ ନେଇ ଅଭିଭାବକ ଓ ସମ୍ପର୍କୀୟମାନେ ଉଦବେଗ ପ୍ରକାଶ କରିଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ମିଳିପାରିନାହିଁ।

ad-week
Leave A Reply

Your email address will not be published.