ପାର୍ବଣ ପୂର୍ବରୁ ଅପରାଧିକ ଷଡ଼ଯନ୍ତ୍ର ପଣ୍ଡ : ପିସ୍ତଲ ଓ ଦାମୀ ବାଇକ୍ ସହ ୪ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ଗୋସାଇଁନୂଆଗାଁ ପୋଲିସ…

ବ୍ରହ୍ମପୁର : ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ବ୍ରହ୍ମପୁର ସହରରେ ଏକ ବଡ଼ ଧରଣର ଅପରାଧିକ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ଗୋସାଇଁନୂଆଗାଁ ଥାନା ପୋଲିସ। ସଶସ୍ତ୍ର ଅସାମାଜିକ ବ୍ୟକ୍ତିମାନେ ଏକାଠି ହୋଇ କୌଣସି ବଡ଼ କାଣ୍ଡ ଭିଆଇବାକୁ ଯୋଜନା କରୁଥିବା ବେଳେ ପୋଲିସ ଚଢ଼ାଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଓ ବିପୁଳ ସାମଗ୍ରୀ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୪ ତାରିଖ ସନ୍ଧ୍ୟା ସମୟରେ ଗୋସାଇଁନୂଆଗାଁ ମୁଖ୍ୟ ରାସ୍ତା ନିକଟରେ କିଛି ସଶସ୍ତ୍ର ଯୁବକ ଏକାଠି ହୋଇଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏସଆଇ ଜି.ଆର୍. ଦାସଙ୍କ ନେତୃତ୍ୱରେ ଏକ ସ୍ୱପ୍ନ ପୋଲିସ ଟିମ୍ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସମ୍ପୃକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲେ। ଏହି ସମୟରେ ପୋଲିସ ହାତରେ ଧରାପଡ଼ିଥିଲେ ୪ ଜଣ ଅଭିଯୁକ୍ତ। ଗିରଫ ଅଭିଯୁକ୍ତମାନେ ହେଲେ କୈଳାସ ମହାନ୍ତି ଓରଫ ବୁଡୁ (୪୯), ଚନ୍ଦ୍ରଶେଖର ଦାସ ଓରଫ ପିଙ୍କୁ (୪୪), ସିଟୁନ ସାହୁ (୨୫) ଏବଂ ଦେବାଶିଷ ପାତ୍ର (୩୦)।

ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ଏକ ରୂପା ଓ ସୁନା ରଙ୍ଗର ଆକର୍ଷଣୀୟ ପିସ୍ତଲ ଜବତ କରିଛି। ଏହା ସହିତ ସେମାନଙ୍କ ବ୍ୟବହୃତ ଦୁଇଟି ଦାମୀ ରୟାଲ ଏନଫିଲ୍ଡ ବୁଲେଟ୍ ବାଇକ୍, ନଗଦ ୬୬,୭୨୦ ଟଙ୍କା ଏବଂ ୪ଟି ଅତ୍ୟାଧୁନିକ ଦାମୀ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଜବତ ମୋବାଇଲ୍ ମଧ୍ୟରେ ଆଇଫୋନ୍-୧୬ ଏବଂ ସାମସଙ୍ଗ ଗାଲାକ୍ସି ଫୋଲ୍ଡ-୮ ଭଳି ଦାମୀ ହ୍ୟାଣ୍ଡସେଟ୍ ରହିଛି। ଏହି ସଂକ୍ରାନ୍ତରେ ଗୋସାଇଁନୂଆଗାଁ ଥାନାରେ କେସ୍ ନଂ-୩୫୪/୨୦୨୬ ଅନୁଯାୟୀ ବିଏନଏସ (BNS) ଏବଂ ଆର୍ମସ୍ ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଗତକାଲି କୋର୍ଟ ଚାଲାଣ କରାଯାଇଛି। ଏହି ଗୋଷ୍ଠୀ କେଉଁ ଉଦ୍ଦେଶ୍ୟରେ ଏକାଠି ହୋଇଥିଲେ ଏବଂ ଏହି ପିସ୍ତଲ ସେମାନେ କେଉଁଠାରୁ ଆଣିଥିଲେ, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ପାର୍ବଣ ପୂର୍ବରୁ ପୋଲିସର ଏହି ସଫଳତା ସହରବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଦେଇଛି।

ad-week
Leave A Reply

Your email address will not be published.