ସିଲ୍ ଥିବା ଖାଲି ଗ୍ୟାସ୍ ସିଲିଣ୍ଡର ଦେଇ ଫସିଲା ଏଜେନ୍ସି: ଗ୍ରାହକଙ୍କୁ କ୍ଷତିପୂରଣ ଦେବାକୁ ଖାଉଟି ଆୟୋଗଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର: ସିଲ୍ ଥାଇ ମଧ୍ୟ ଉପଭୋକ୍ତାଙ୍କୁ ଖାଲି ଏଲ୍‌ପିଜି ସିଲିଣ୍ଡର ଯୋଗାଇବା ଏବଂ ପରେ ତାହା ବଦଳାଇବାକୁ ମନା କରିବା ଏକ ଗ୍ୟାସ୍ ଏଜେନ୍ସି ପାଇଁ ମହଙ୍ଗା ପଡ଼ିଛି। ଏଭଳି ଏକ ସେବାଗତ ତ୍ରୁଟି ମାମଲାର ବିଚାର କରି ଗଞ୍ଜାମ ଜିଲ୍ଲା ଖାଉଟି ବିବାଦ ବିଚାର ଆୟୋଗ, ବ୍ରହ୍ମପୁର ବିପକ୍ଷ ‘ମେସର୍ସ ଆର୍.ସି. ଭାରତ ଗ୍ୟାସ୍’ (ଦିଗପହଣ୍ଡି) କୁ ଉପଭୋକ୍ତାଙ୍କୁ ତୁରନ୍ତ ନୂଆ ଭର୍ତ୍ତି ସିଲିଣ୍ଡର କିମ୍ବା ଟଙ୍କା ଫେରସ୍ତ ସହ କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ୍ଚ ପ୍ରଦାନ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଘଟଣା ଅନୁଯାୟୀ, ଦିଗପହଣ୍ଡି କୋର୍ଟ ଷ୍ଟ୍ରିଟ୍ ବାସିନ୍ଦା ତଥା ଆଇନଜୀବୀ କୁରେଶୁ ପଣ୍ଡା ୨୦୨୩ ଅଗଷ୍ଟ ୨୦ ତାରିଖରେ ୧,୧୫୦.୫୦ ଟଙ୍କା ଦେଇ ଏଜେନ୍ସିରୁ ଏକ ରିଫିଲ୍ ସିଲିଣ୍ଡର ଗ୍ରହଣ କରିଥିଲେ। ଘରେ ପୂର୍ବରୁ ଅନ୍ୟ ଏକ ସିଲିଣ୍ଡର ବ୍ୟବହାର ହେଉଥିବାରୁ ସେ ଏହି ନୂଆ ସିଲିଣ୍ଡରଟିକୁ ସାଇତି ରଖିଥିଲେ। ପ୍ରାୟ ୪୫ ଦିନ ପରେ ଅକ୍ଟୋବର ୩ ତାରିଖରେ ସେହି ସିଲିଣ୍ଡରଟିକୁ ସଂଯୋଗ କରିବା ବେଳେ ସିଲ୍ ଅକ୍ଷୁଣ୍ଣ ଥିଲେ ହେଁ ତାହା ସମ୍ପୂର୍ଣ୍ଣ ଖାଲି ଥିବା ଜଣାପଡ଼ିଥିଲା। ଶ୍ରୀ ପଣ୍ଡା ଏ ନେଇ ଏଜେନ୍ସି କର୍ମଚାରୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଅଭିଯୋଗକୁ ଗ୍ରହଣ ନକରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଶେଷରେ ନ୍ୟାୟ ପାଇଁ ସେ ଜିଲ୍ଲା ଖାଉଟି ଆୟୋଗର ଦ୍ୱାରସ୍ଥ ହୋଇଥିଲେ।

ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ସତୀଶ କୁମାର ପାଣିଗ୍ରାହୀ ଏବଂ ମହିଳା ସଦସ୍ୟା ସାବିତ୍ରୀ ପଟ୍ଟନାୟକ ଉଭୟ ପକ୍ଷର ଦସ୍ତାବିଜ୍ ଯାଞ୍ଚ କରି ଏଜେନ୍ସିର ଯୁକ୍ତିକୁ ଖାରଜ କରିଦେଇଛନ୍ତି। ଉପଭୋକ୍ତାଙ୍କ ପାଖରେ ଡବଲ୍ ସିଲିଣ୍ଡର ସଂଯୋଗ ଥିବାରୁ ଗୋଟିଏ ସରିବା ପର୍ଯ୍ୟନ୍ତ ଅନ୍ୟଟିକୁ ରଖିବା ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ଡେଲିଭରି ସମୟରେ ଓଜନ ଯାଞ୍ଚ ହୋଇଥିବାର କୌଣସି ସଠିକ୍ ପ୍ରମାଣ ଏଜେନ୍ସି ଦେଇପାରି ନାହିଁ ବୋଲି ଆୟୋଗ ଦର୍ଶାଇଛନ୍ତି। ଏହାକୁ ସେବାରେ ଚରମ ଅବହେଳା କହି ଆୟୋଗ ଗ୍ରାହକଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି।

ଆଦେଶ ଅନୁଯାୟୀ, ଆସନ୍ତା ୪୫ ଦିନ ମଧ୍ୟରେ ବିତରକ ସଂସ୍ଥା ଅଭିଯୋଗକାରୀଙ୍କୁ ମାଗଣାରେ ଏକ ନୂଆ ଭର୍ତ୍ତି ଗ୍ୟାସ୍ ସିଲିଣ୍ଡର ପ୍ରଦାନ କରିବେ କିମ୍ବା ଜମା କରିଥିବା ଟଙ୍କା ଫେରସ୍ତ କରିବେ। ଏହା ବ୍ୟତୀତ ମାନସିକ ଯନ୍ତ୍ରଣା ପାଇଁ ୭,୦୦୦ ଟଙ୍କା କ୍ଷତିପୂରଣ ଏବଂ ମକଦ୍ଦମା ଖର୍ଚ୍ଚ ବାବଦକୁ ୫,୦୦୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଏହି ଅର୍ଥ ପ୍ରଦାନ କରା ନଯାଏ, ତେବେ ବାର୍ଷିକ ୯ ପ୍ରତିଶତ ସୁଧ ସହ ସମସ୍ତ ଅର୍ଥ ଆଦାୟ କରାଯିବ ବୋଲି ଆୟୋଗ ଚେତାବନୀ ଦେଇଛନ୍ତି। ଏହି ରାୟ ଉପଭୋକ୍ତାଙ୍କ ସୁରକ୍ଷା ଦିଗରେ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।

ad-week
Leave A Reply

Your email address will not be published.