୧୩୫ କିଲୋ ଡେଡ୍ଲିଫ୍ଟରେ ରୌପ୍ୟ, ୭୭.୫ କିଲୋ ବେଞ୍ଚ୍ ପ୍ରେସ୍ରେ କାଂସ୍ୟ
ମାଲକାନଗିରି, ୧୫/୯: ଜାତୀୟ ସ୍ତରର ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲାର ଜଣେ ମହିଳା କ୍ରୀଡ଼ାବିତ୍ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ସେପ୍ଟେମ୍ବର ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ପିତମପୁରାଠାରେ ଅନୁଷ୍ଠିତ ସିନିୟର ଜାତୀୟ ପାୱାରଲିଫ୍ଟିଂ, ଡେଡ୍ଲିଫ୍ଟ ଓ ବେଞ୍ଚ୍ ପ୍ରେସ୍ ପ୍ରତିଯୋଗିତାରେ ଦେଶର ୧୭ଟି ରାଜ୍ୟରୁ ୫୬୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ଓଡ଼ିଶାରୁ ୨୦ ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିବାବେଳେ ମାଲକାନଗିରି ଜିଲ୍ଲାର ରୟାଲ୍ ଫିଟନେସ୍ ଜିମ୍ର ସଞ୍ଜିତା ହାଲଦାର ୮୪ କିଲୋଗ୍ରାମରୁ ଊର୍ଦ୍ଧ୍ୱ ବର୍ଗରେ ପ୍ରତିଯୋଗିତା କରିଥିଲେ।
ସଞ୍ଜିତା ବେଞ୍ଚ୍ ପ୍ରେସ୍ରେ ୭୭.୫ କିଲୋଗ୍ରାମ ଓଜନ ଉଠାଇ ତୃତୀୟ ସ୍ଥାନ ଅଧିକାର କରି କାଂସ୍ୟ ପଦକ ହାସଲ କରିଥିଲେ। ସେହିପରି ଡେଡ୍ଲିଫ୍ଟରେ ୧୩୫ କିଲୋଗ୍ରାମ ଓଜନ ଉଠାଇ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିଛନ୍ତି।
ଜାତୀୟ ସ୍ତରରେ ସଞ୍ଜିତାଙ୍କ ଏହି ସଫଳତା ମାଲକାନଗିରି ଜିଲ୍ଲାର କ୍ରୀଡ଼ା ଜଗତରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଛି। ତାଙ୍କ ଏହି ସଫଳତା ପଛରେ ରୟାଲ୍ ଫିଟନେସ୍ ଜିମ୍ର ପ୍ରଶିକ୍ଷକ ସିଦ୍ଧାର୍ଥ ଶଙ୍କର ବେହେରାଙ୍କ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ରହିଥିବା ଜଣାପଡ଼ିଛି।
ସଞ୍ଜିତାଙ୍କ ଏହି ଗୌରବମୟ ସଫଳତା ପାଇଁ ତାଙ୍କ ପ୍ରଶିକ୍ଷକ, ରୟାଲ୍ ଫିଟନେସ୍ ଜିମ୍ର ସଦସ୍ୟ ଏବଂ ଜିଲ୍ଲାବାସୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଆହୁରି ସଫଳତା ହାସଲ କରନ୍ତୁ ବୋଲି କାମନା କରିଛନ୍ତି।
