ବ୍ରହ୍ମପୁର //ରଙ୍ଗେଈଲୁଣ୍ଡା : ଶିକ୍ଷା ହେଉଛି ସମାଜର ମେରୁଦଣ୍ଡ। ଶିକ୍ଷାର ଆଲୋକ ଅଜ୍ଞାନତାର ଅନ୍ଧକାରକୁ ଦୂର କରି ଜୀବନକୁ ଜ୍ଞାନର ଦୀପ୍ତିରେ ଆଲୋକିତ କରେ। ଏହି ମହତ୍ ଉଦ୍ଦେଶ୍ୟକୁ ନେଇ ‘ଉଲ୍ଲାସ–ନବ ଭାରତର ଏକ ପ୍ରୟାସ’ ଶୀର୍ଷକରେ ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ସାନ କୁସ୍ଥଳୀ ଜି ପି ଏସ ସ୍କୁଲ ତରଫରୁ ଏକ ଶିକ୍ଷାମୂଳକ ଓ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦରେ ଭରପୂର ଏହି ଆୟୋଜନ ସ୍ଥାନୀୟ ଅଞ୍ଚଳରେ ଏକ ନୂତନ ଶିକ୍ଷାମୟ ପରିବେଶ ସୃଷ୍ଟି କରିଥିଲା।

କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ ଓ ପରିଚୟ ପ୍ରଦାନ ପରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ପରେ ପ୍ରଧାନଶିକ୍ଷୟତ୍ରୀ ମମତା ନାହାକ ଙ୍କ ଦ୍ଵାରା ଉଦ୍ଦେଶ୍ୟ ଓ ସ୍ୱାଗତ ଭାଷଣ ପ୍ରଦାନ କରାଯାଇଥିଲା। ପରେ ମଞ୍ଚାସୀନ ଅତିଥିମାନେ ଶିକ୍ଷା, ସାକ୍ଷରତା ଓ ଶିକ୍ଷାରୁ ବଞ୍ଚିତ ବ୍ୟକ୍ତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଉପରେ ନିଜ ନିଜ ମତବ୍ୟକ୍ତ କରିଥିଲେ। ସଭାରେ ଅଞ୍ଚଳ ର ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ଶିକ୍ଷାକୁ ଜନଜୀବନର ଅବିଚ୍ଛିନ୍ନ ଅଙ୍ଗ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ମିଳିତ ସହଯୋଗର ଆବଶ୍ୟକତା ଉପରେ ମତ ରଖିଥିଲେ। ଗ୍ରାମ ର ସମସ୍ତ ଅଭିଭାବକ ମାନଙ୍କୁ ଶିକ୍ଷାର ଆବଶ୍ୟକତା, ସାକ୍ଷରତାର ପ୍ରସାର ଓ ସମାଜର ପ୍ରତ୍ୟେକ ବର୍ଗକୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବାର ବାର୍ତ୍ତା ପ୍ରଦାନ କରାଯାଇଥିଲ।ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ ଯେ, “ପ୍ରତ୍ୟେକ ଶିଶୁର ହାତରେ ଶିକ୍ଷାର ଦୀପ ଜଳିଲେ ହିଁ ସମାଜର ଭବିଷ୍ୟତ ଆଲୋକିତ ହେବ।” ଶିକ୍ଷାରୁ ବଞ୍ଚିତ ଲୋକଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ସାକ୍ଷରତାର ପ୍ରସାର ପାଇଁ ସରକାର, ଶିକ୍ଷକ, ଅଭିଭାବକ ଓ ସମାଜର ସମସ୍ତ ବର୍ଗଙ୍କ ମିଳିତ ପ୍ରୟାସ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା l ଶିକ୍ଷୟତ୍ରୀ ଲିପିକା ନାୟକ ତାଙ୍କ ଅଭିଭାଷଣ ରେ ଛାତ୍ରଛାତ୍ରୀଙ୍କ ଉତ୍ସାହ, ଶିକ୍ଷକମାନଙ୍କ ନିଷ୍ଠା ଓ ଗ୍ରାମବାସୀଙ୍କ ସହଯୋଗରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ ସଫଳତା ବିଷୟରେ ଆଲୋକପାତ କରି ଥିଲେ l ଏବଂ ସେ କହିଥିଲେ ଏହି ଆୟୋଜନ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଶିକ୍ଷାର ଆଲୋକକୁ ପ୍ରତ୍ୟେକ ଘରଦ୍ୱାରରେ ପହଞ୍ଚାଇବା ଏବଂ ଏକ ସଚେତନ, ଶିକ୍ଷିତ ଓ ଉଜ୍ଜ୍ୱଳ ନବ ଭାରତ ଗଠନ ଦିଗରେ ଏକ ସାର୍ଥକ ପ୍ରୟାସ ଭାବେ ଅଞ୍ଚଳବାସୀଙ୍କ ମନରେ ‘ଉଲ୍ଲାସ’ର ଏକ ଛାପ ଛାଡ଼ିଥିଲା।
