ବାଲିଗୁଡ଼ା : ୮୨-ବାଲିଗୁଡ଼ା (ଏସ୍ଟି) ବିଧାନସଭା ନିର୍ବାଚନମଣ୍ଡଳୀର ଏସ୍ଆଇଆର୍-୨୦୨୬ ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ବାଲିଗୁଡ଼ା ଉପଖଣ୍ଡ ମୁଖ୍ୟାଳୟରେ ପ୍ରକାଶ ପାଇଛି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)-ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣୀତା ଦାସ ଙ୍କ ଦ୍ୱାରା ଏହି ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇଥିଲା। ଏହି ଅବସରରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) ମାନଙ୍କ ସମେତ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସହିତ ସ୍ୱତନ୍ତ୍ର ସଘନ ପୁନର୍ବୀକ୍ଷଣ (Special Intensive Revision) ପ୍ରକ୍ରିୟା ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ସମ୍ପନ୍ନ ହୋଇଛି। ଏହି ପ୍ରକ୍ରିୟାରେ ଭୋଟର ତାଲିକାର ଯାଞ୍ଚ, ଦାବି ଓ ଆପତ୍ତି ଗ୍ରହଣ ଏବଂ ମାମଲା ଗୁଡ଼ିକର ନିଷ୍ପତ୍ତି ଆଦି କାର୍ଯ୍ୟ ସମ୍ପାଦନ କରାଯାଇଥିଲା।
ଏହି ସମଗ୍ର ପ୍ରକ୍ରିୟାକୁ ସୁଚାରୁ ଭାବେ ସମ୍ପନ୍ନ କରିବାରେ AERO, BLO ସୁପରଭାଇଜର, BLO ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀ ଓ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ପାଇଁ ERO କୃତଜ୍ଞତା ଜଣାଇଥିଲେ। ଏଥିସହ ଏସ୍ଆଇଆର୍ ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ ସହଯୋଗ କରିଥିବା ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଥିଲା। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ହେବା ପରେ ଏବେ ୮୨-ବାଲିଗୁଡ଼ା (ଏସ୍ଟି) ନିର୍ବାଚନମଣ୍ଡଳୀର ସଂଶୋଧିତ ତାଲିକା ଅନୁଯାୟୀ ଆଗାମୀ ନିର୍ବାଚନୀ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ପ୍ରକାଶ କରିଥିଲେ ।
