ଉମରକୋଟ : ଦିନକୁ ଦିନ ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତି ଓ ମଦ୍ୟପାନର ପ୍ରବଣତା ବୃଦ୍ଧି ପାଉଥିବା ଅଭିଯୋଗ ମଧ୍ୟରେ ଏବେ ଏହାର ବିରୋଧରେ ସ୍ୱର ଉଠାଇଛନ୍ତି ବିଭିନ୍ନ ଗ୍ରାମାଞ୍ଚଳର ମହିଳାମାନେ। ମଦ୍ୟପାନ ଯୋଗୁଁ ପରିବାରିକ ଅଶାନ୍ତି, ଆର୍ଥିକ ସମସ୍ୟା, ସାମାଜିକ ବିଶୃଙ୍ଖଳା ଓ ଯୁବପିଢ଼ି ଉପରେ ପଡ଼ୁଥିବା କୁପ୍ରଭାବକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦୁଇ ଗ୍ରାମର ମହିଳାମାନେ।
ସ୍ଥାନୀୟ ଉମରକୋଟର ଢେପଗୁଡ଼ା ଓ ଗତିଗୁଡ଼ା ଗ୍ରାମର ଶତାଧିକ ମହିଳା ଏକଜୁଟ ହୋଇ ଅଞ୍ଚଳରେ ଦେଶୀ ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ମହିଳାମାନଙ୍କ କହିବା ଅନୁଯାୟୀ, ମଦ୍ୟପାନର କୁପ୍ରଭାବ କେବଳ ଜଣେ ବ୍ୟକ୍ତିଙ୍କ ଜୀବନରେ ସୀମିତ ରହୁନାହିଁ; ଏହାର ପ୍ରଭାବ ପରିବାରର ଅନ୍ୟ ସଦସ୍ୟ, ବିଶେଷକରି ମହିଳା ଓ ଶିଶୁମାନଙ୍କ ଉପରେ ମଧ୍ୟ ପଡ଼ୁଛି।
ମଦ୍ୟପାନକୁ କେନ୍ଦ୍ର କରି ଅନେକ ପରିବାରରେ ଝଗଡ଼ା, କଳହ ଓ ଅଶାନ୍ତି ସୃଷ୍ଟି ହେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଦିନମଜୁରି କିମ୍ବା ଅନ୍ୟ ଉପାୟରେ ଉପାର୍ଜିତ ଅର୍ଥର ଏକ ଅଂଶ ମଦ୍ୟପାନରେ ଖର୍ଚ୍ଚ ହେବା ଫଳରେ ପରିବାରର ଦୈନନ୍ଦିନ ଆବଶ୍ୟକତା, ଶିଶୁମାନଙ୍କ ଶିକ୍ଷା ଓ ଘରୋଇ ଆର୍ଥିକ ସ୍ଥିତି ପ୍ରଭାବିତ ହେଉଥିବା ମଧ୍ୟ ମହିଳାମାନେ କହିଛନ୍ତି।
ମଦ୍ୟପାନର କୁପ୍ରଭାବ ଧୀରେ ଧୀରେ ସାମାଜିକ ଜୀବନକୁ ମଧ୍ୟ ପ୍ରଭାବିତ କରୁଥିବାରୁ ଏହାକୁ ରୋକିବା ପାଇଁ ପ୍ରଶାସନର ଦୃଢ଼ ପଦକ୍ଷେପ ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ଅବୈଧ ଭାବେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ଉପରେ ନଜରଦାରି ବଢ଼ାଇବା ସହ ଏଥିରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଆଇନସମ୍ମତ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି।
ଏହି ଦାବିକୁ ନେଇ ଦୁଇ ଗ୍ରାମର ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ବାହାରି ଉମରକୋଟ ଥାନାରେ ପହଞ୍ଚିଥିଲେ। ସେଠାରେ ସେମାନେ ଦେଶୀ ମଦ ବନ୍ଦ, ଅବୈଧ ମଦ ପ୍ରସ୍ତୁତି ଉପରେ ରୋକ୍ ଏବଂ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ସାମାଜିକ ପରିବେଶ ସୃଷ୍ଟି ପାଇଁ ପୋଲିସ ପ୍ରଶାସନର ହସ୍ତକ୍ଷେପ ଦାବି କରି ଲିଖିତ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଏଥିସହ ମଦ ବିରୋଧୀ ଅଭିଯାନରେ ପୋଲିସ ପ୍ରଶାସନକୁ ନିଜମାନଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ମହିଳାମାନେ ଜଣାଇଛନ୍ତି। ଗ୍ରାମର ମହିଳାମାନଙ୍କ ଏହି ସାମୂହିକ ପଦକ୍ଷେପ ଅଞ୍ଚଳରେ ମଦ ବିରୋଧୀ ସଚେତନତା ସୃଷ୍ଟି କରିବା ସହ ପରିବାର ଓ ସମାଜକୁ ମଦ୍ୟପାନର କୁପ୍ରଭାବରୁ ଦୂରେଇ ରଖିବା ଦିଗରେ ଏକ ଉଦ୍ୟମ ବୋଲି ବୁଦ୍ଧିଜୀବୀ ମହଳରେ ଜୋରଦାର ଆଲୋଚନା ହେଉଛି।
