କୋରାପୁଟ ଜିଲ୍ଲା ସଦର ମହକୁମାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ: ସର୍ବଧର୍ମ ପ୍ରାର୍ଥନା ସହ କୃତୀ ଛାତ୍ରଛାତ୍ରୀ ପୁରସ୍କୃତ
କୋରାପୁଟ : କୋରାପୁଟ ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ସ୍ଥାନରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଉଭୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ସଦର ମହକୁମାରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ଡିପିସି ଅଧ୍ୟକ୍ଷ ତଥା ବିଧାୟକ ରଘୁରାମ ମାଛ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଉପଜିଲ୍ଲାପାଳ ଫାବି ରସିଦ, ଆଇଏଏସ୍ ପ୍ରୋବେସନର ଅନୁଜ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ଏସ୍ଡିସି ଅଧ୍ୟକ୍ଷ ଭଗବାନ ମୁଦୁଲି, ପୌରପାଳିକା ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷା ନମିତା ମାଝୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସାମାଜିକ ସଦ୍ଭାବନା ଓ ସର୍ବଧର୍ମ ସମନ୍ୱୟର ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଗାୟତ୍ରୀ ପରିବାର ପକ୍ଷରୁ ପବିତ୍ର ଭଗବଦ୍ ଗୀତା ପାଠ, ମହମ୍ମଦ ମୁଜାମିଲ ହୁସେନଙ୍କ ଦ୍ୱାରା ପବିତ୍ର କୁରାନ ପାଠ ଏବଂ ବିରଞ୍ଚି ଖୋସଲାଙ୍କ ଦ୍ୱାରା ବାଇବେଲ୍ ପାଠ କରାଯାଇଥିଲା। ବକ୍ତାମାନେ ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା ଓ ସ୍ୱଚ୍ଛତାର ଆଦର୍ଶ ତଥା ଲାଲ ବାହାଦୁର ଶାସ୍ତ୍ରୀଙ୍କ ସରଳତା, ଦେଶପ୍ରେମ ଓ କର୍ତ୍ତବ୍ୟନିଷ୍ଠାକୁ ଜୀବନରେ ଆପଣାଇ ଶାନ୍ତି, ଏକତା ଓ ଭାଇଚାରା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।
ଏହି ସମାରୋହରେ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ, ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ, ନିମାଇଁ ସରକାର, ୱାଇ. ସତ୍ୟନାରାୟଣ, ନଗର ସଭାପତିଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ଓ ସର୍ବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ସାଧାରଣ ନାଗରିକ ଉପସ୍ଥିତ ଥିଲେ।
ଏହି ଅବସରରେ ବିଦ୍ୟାଳୟ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା:
- କନିଷ୍ଠ ବର୍ଗ ବିତର୍କ: ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଜିଜ୍ଞାସା ପାତ୍ର (ପ୍ରଥମ), ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଔରୋସ୍ମିତା ସାହୁ (ଦ୍ୱିତୀୟ) ଏବଂ ଶ୍ରୀ ରାମକୃଷ୍ଣ ବିଦ୍ୟାମନ୍ଦିରର ଦିବ୍ୟାଂଶୀ ମହାପାତ୍ର (ତୃତୀୟ)।
- ବରିଷ୍ଠ ବର୍ଗ ବିତର୍କ: ମାଛରା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ସଦ୍ଭାବନା ମିଶ୍ର (ପ୍ରଥମ), ସେଣ୍ଟସ୍ ଇଂଲିଶ୍ ମିଡିୟମ୍ ସ୍କୁଲ୍ର ନବମ ଶ୍ରେଣୀ ଛାତ୍ରୀ ମୋନାଲିସା ବାଘ (ଦ୍ୱିତୀୟ) ଏବଂ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ଆଚାର୍ଯ୍ୟ (ତୃତୀୟ)।
- ଚିତ୍ରାଙ୍କନ ପ୍ରତିଯୋଗିତା: ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଆଦ୍ୟାଶା ସେନାପତି (ପ୍ରଥମ), ସେଣ୍ଟସ୍ ସ୍କୁଲ୍ର ଡି.ଏସ୍. ଆର୍ଯ୍ୟନ୍ (ଦ୍ୱିତୀୟ) ଏବଂ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଡି. କାର୍ତ୍ତିକ (ତୃତୀୟ)।
ସମଗ୍ର କାର୍ଯ୍ୟକ୍ରମକୁ କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବା ପରିଚାଳନା କରିଥିଲେ। ଏଥିରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଧାରାଣୀ ସରକାର, କ୍ଲର୍କ-କମ୍-ଲାଇବ୍ରେରିଆନ୍ ମିଥୁ ବାଘ, ପ୍ରୋଜେକ୍ସନିଷ୍ଟ ଅଲିଭା ବେହେରା, ଷ୍ଟୋରକିପର୍ ସନ୍ତୋଷ କୁମାର ସେଠୀ, କ୍ଲର୍କ ସୁବାସିନୀ କରସୁଧା ପଟ୍ଟନାୟକ ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
