ପୁଣି ଆରମ୍ଭ ହେଲାଣି ବାଲିମାଫିଆଙ୍କ ରାଜତ୍ୱ : ଅବାଧରେ ଛତିଶଗଡ଼କୁ ଚାଲିଛି ବେଆଇନ ବାଲି ଚାଲାଣ, ରାଜସ୍ୱ ବିଭାଗ ନୀରବଦ୍ରଷ୍ଟା
କୋଷାଗୁମୁଡ଼ା : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ତଥା କୋଡ଼ିଙ୍ଗା ତହସିଲ ଅଞ୍ଚଳରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି ବାଲି ମାଫିଆ। ସ୍ଥାନୀୟ ନଦୀଘାଟଗୁଡ଼ିକରୁ ଦିନରାତି ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇ ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ଅବାଧରେ ଚୋରା ଚାଲାଣ ଚାଲିଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ କେତେକ ଟିପ୍ପର ଓ ହାଇୱା ଗାଡ଼ି ଜବତ କରାଯାଇଥିଲା। ମାତ୍ର କେବଳ ଜୋରିମାନା ଆଦାୟ କରି ସେଗୁଡ଼ିକୁ ଛାଡ଼ି ଦିଆଯିବା ଫଳରେ ମାଫିଆମାନେ ବେପରୁଆ ହୋଇ ପୁଣି ଏହି କଳା କାରବାର ଆରମ୍ଭ କରିଦେଇଛନ୍ତି।
କୋଡ଼ିଙ୍ଗା ତହସିଲ ଅନ୍ତର୍ଗତ ଦୁଇ ପ୍ରମୁଖ ନଦୀ ଇନ୍ଦ୍ରାବତୀ ଓ ଭାସ୍କେଲ୍ରୁ ରାଜସ୍ୱ ବିଭାଗ ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ଘାଟ ନିମନ୍ତେ ଟେଣ୍ଡର ଦିଆଯାଇଛି। ସରକାରୀ ନିୟମ ଅନୁସାରେ ଲିଜ୍ ପ୍ରାପ୍ତ ଘାଟରେ କେବଳ ଶ୍ରମିକ ଲଗାଇ ବାଲି ଉତ୍ତୋଳନ କରିବା କଥା। କିନ୍ତୁ ନିୟମକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇ ଶ୍ରମିକ ବଦଳରେ ବଡ଼ ବଡ଼ ଜେସିବି ମେସିନ ସାହାଯ୍ୟରେ ବାଲି ଖୋଳାଯାଇ ହାଇୱା, ଟିପ୍ପର ଓ ଟ୍ରାକ୍ଟରରେ ପରିବହନ କରାଯାଉଛି। ଏପରିକି ଯେଉଁ ଘାଟଗୁଡ଼ିକ ନିମନ୍ତେ ଟେଣ୍ଡର ହୋଇନାହିଁ, ସେଠାରୁ ମଧ୍ୟ ମାଫିଆମାନେ ନିର୍ଭୟରେ ବାଲି ଚୋରି ଚଳାଇଛନ୍ତି। ବିଶେଷ କରି ବାଲେଙ୍ଗା ରାଜସ୍ୱ ଅଧୀନ ବେଲପୁଟି ଭାସ୍କେଲ ନଦୀଘାଟ ଏବଂ ବରଗାଁ ନିକଟ ବାଲିଘାଟରୁ ଦୈନିକ ବିପୁଳ ପରିମାଣର ବାଲି ଲୁଟ୍ ହେଉଥିବା ଦେଖିବାକୁ ମିଳୁଛି।
ବର୍ତ୍ତମାନ ବର୍ଷାଦିନ ଶେଷ ହେବାକୁ ବସିଥିବା ବେଳେ ରାଜସ୍ୱ ବିଭାଗ ବନ୍ୟା କ୍ଷୟକ୍ଷତି ଆକଳନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହିବାର ସୁଯୋଗ ନେଉଛନ୍ତି ମାଫିଆ। ବେଲପୁଟି ନଦୀଘାଟରୁ ପ୍ରାୟ ୧୫ରୁ ଅଧିକ ଟ୍ରାକ୍ଟର ମାଧ୍ୟମରେ ବାଲି ନେଇ ସୀମାନ୍ତ ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲା ଅନ୍ତର୍ଗତ ଗିରଲା ଗ୍ରାମରେ ଗଚ୍ଛିତ ରଖାଯାଉଛି। ପରେ ସେଠାରେ ଚଢ଼ା ଦରରେ ବାଲି ବିକ୍ରି କରି ମାଫିଆମାନେ ମାଲେମାଲ ହେଉଛନ୍ତି। ଏହାଦ୍ୱାରା ସରକାର ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଉଥିବା ବେଳେ ନଦୀଗର୍ଭ ଖୋଳାଯିବା ଯୋଗୁଁ ପ୍ରାକୃତିକ ପରିବେଶ ପ୍ରତି ମଧ୍ୟ ଗମ୍ଭୀର ସଙ୍କଟ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସ୍ଥାନୀୟ ଲଘୁ ଖଣିଜ ବିଭାଗ ଓ ରାଜସ୍ୱ ପ୍ରଶାସନର ରହସ୍ୟଜନକ ନୀରବତାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏହି ବେଆଇନ କାରବାର ସମ୍ପର୍କରେ ବାଲେଙ୍ଗା ରାଜସ୍ୱ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ହେଁ ସେ ସମୟ ମିଳିଲେ ଘଟଣାସ୍ଥଳକୁ ଯିବେ ବୋଲି କହି ଦାୟିତ୍ୱ ସାରିଦେଇଛନ୍ତି। କୋଡ଼ିଙ୍ଗା ତହସିଲଦାରଙ୍କୁ ମଧ୍ୟ ଫୋନ୍ ଯୋଗେ ଘଟଣାର ସୂଚନା ଦିଆଯାଇଛି। କିଛି ମାସ ତଳେ ସନ୍ତସପୁର ନିକଟ ଭାସ୍କେଲ ନଦୀରୁ ବାଲି ଚୋରା ଚାଲାଣ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ସାମାନ୍ୟ ସକ୍ରିୟ ହୋଇଥିଲା, ମାତ୍ର ବର୍ତ୍ତମାନ ପରିସ୍ଥିତି ପୁଣି ପୂର୍ବପରି ହୋଇଯାଇଛି। ଜିଲ୍ଲା ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଘଟଣାର ତଦନ୍ତ କରିବା ସହ ବାଲି ମାଫିଆଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
