ବ୍ରହ୍ମପୁର : ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ‘ମହାନ ସଂଘ’ର ୪୨ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରହ୍ମପୁର ସହର ଉପକଣ୍ଠ ରାମଚନ୍ଦ୍ରପୁରସ୍ଥିତ ‘ବିଶ୍ୱ ନିକେତନ ଜରା ନିବାସ’ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ତଥା ପୂର୍ବତନ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ମିତ୍ତଲ ଗ୍ରୁପ୍ ଓଡ଼ିଶାର ସଭାପତି ବିଶ୍ୱରଞ୍ଜନ ପାଢ଼ୀ ଏବଂ କର୍ପୋରେଟ ଆଇନଜୀବୀ ସ୍ୱାଧୀ ଯୋଗମାୟା ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଦୀର୍ଘ ୪୨ ବର୍ଷ ଧରି ବ୍ରହ୍ମପୁର ସହର, ଗଞ୍ଜାମ ଜିଲ୍ଲା ତଥା ରାଜ୍ୟରେ ମହାନ ସଂଘ ଦ୍ୱାରା କରାଯାଉଥିବା ନିସ୍ୱାର୍ଥପର ସମାଜସେବା ଓ ଉଲ୍ଲେଖନୀୟ ଜନକଲ୍ୟାଣକାରୀ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ।
ମହାନ ସଂଘର ସଭାପତି ସୁଶାନ୍ତ ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ, ସଂଘର ଚାରି ଦଶନ୍ଧିରୁ ଊର୍ଦ୍ଧ୍ୱ ଯାତ୍ରାରେ ସାଧାରଣ ଲୋକଙ୍କ ସହଯୋଗ ଓ ଭଲପାଇବା ପାଇଁ ସଭାପତି କୃତଜ୍ଞତା ଜ୍ଞାପନ କରିଥିଲେ। ଏଥିସହ ଆଗାମୀ ଦିନରେ ଅନାଥ ଶିଶୁଙ୍କ ଆଶ୍ରୟ ପାଇଁ ‘ଅଟଳ ଶିଶୁ ଭବନ’ ନିର୍ମାଣ, ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ଉଚ୍ଚକୋଟୀର ଜରା ନିବାସ ପ୍ରତିଷ୍ଠା ତଥା ବର୍ତ୍ତମାନର ବୃଦ୍ଧାଶ୍ରମରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ ଘୋଷଣା କରିଥିଲେ। ଏହାବ୍ୟତୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସ୍କାର, ସଂସ୍କୃତି ଓ ମୂଲ୍ୟବୋଧ ଜାଗ୍ରତ କରିବା ପାଇଁ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସୂଚନା ଦେଇଥିଲେ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ, କୋଭିଡ୍ ମହାମାରୀ ସମୟରେ ତଥା ସାମାଜିକ ସଂସ୍କାର ଦିଗରେ ସଂଘର ନିରନ୍ତର ସେବାକୁ ଉପସ୍ଥିତ ଅତିଥି ତଥା ବୁଦ୍ଧିଜୀବୀମାନେ ମନେ ପକାଇଥିଲେ।
ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସାଧାରଣ ସମ୍ପାଦକ ଇଂ. ପ୍ରଶାନ୍ତ କୁମାର ପାତ୍ର, ଏ. କେ. ମିଶ୍ର, ଉମାଶଙ୍କର ପାଣି, ପୁଷ୍ପାଞ୍ଜଳି ମହାପାତ୍ର, ସବିତା ସାହୁ, ଶ୍ରୀକାନ୍ତ ସାବତ, ସୀମାଞ୍ଚଳ ପାଣିଗ୍ରାହୀ, ଡଃ ସୂଚନା ପାଢ଼ୀ, ଡଃ ଧନଲକ୍ଷ୍ମୀ ପଟ୍ଟନାୟକ, ଡଃ ସନ୍ଧ୍ୟାରାଣୀ ପଟ୍ଟନାୟକ, ବିଭୂତି ସାବତ ଓ ମନୋରଞ୍ଜନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଜରା ନିବାସ ପରିସରରେ ୪୨ଟି ବୃକ୍ଷରୋପଣ କରାଯିବା ସହ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଅନୁଷ୍ଠାନଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା।
