ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ: ସତ୍ୟ, ଅହିଂସା ଓ ମାନବିକତାର ଆଦର୍ଶ ଅନୁସରଣ ପାଇଁ ଆହ୍ୱାନ
ବ୍ରହ୍ମପୁର : ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସ୍ଥାନୀୟ ଗାନ୍ଧୀନଗର ଛକସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।
ମଞ୍ଚର ଆବାହକ ତଥା ଆଇନଜୀବୀ ଅବନୀ ଗୟାଙ୍କ ସଭାପତିତ୍ୱରେ ଏହି ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଅତିଥି ଓ ବୁଦ୍ଧିଜୀବୀମାନେ ଉଭୟ ମହାନ ଜନନାୟକଙ୍କ ଫଟୋଚିତ୍ର ଓ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିସହ ସେମାନଙ୍କ ଅବିସ୍ମରଣୀୟ ଜୀବନୀ, ନିସ୍ୱାର୍ଥପର ଦେଶସେବା ଏବଂ ମହାନ ଆଦର୍ଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ସଭାରେ ବକ୍ତାମାନେ ମତ ରଖିଥିଲେ ଯେ, ଆଜିର ପରିପ୍ରେକ୍ଷୀରେ ମଧ୍ୟ ସତ୍ୟ, ଅହିଂସା, ସାମାଜିକ ସମାନତା, ମାନବିକତା ଓ ସଚ୍ଚୋଟତାର ମୂଲ୍ୟବୋଧ ଅତ୍ୟନ୍ତ ପ୍ରାସଙ୍ଗିକ। ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ମାନବ ଅଧିକାର ତଥା ସାମାଜିକ ନ୍ୟାୟର ସୁରକ୍ଷା ପାଇଁ ଏହି ମହାନ ଆଦର୍ଶଗୁଡ଼ିକୁ ଜନଜୀବନରେ ଆପଣାଇବା ଏକାନ୍ତ ଆବଶ୍ୟକ ବୋଲି ସେମାନେ ଆହ୍ୱାନ ଦେଇଥିଲେ।
ଏହି ସ୍ମୃତିସଭାରେ ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ବରିଷ୍ଠ ସାମ୍ବାଦିକ ରବି ରଥ, ସମ୍ପାଦକ ଆର୍. ସତ୍ୟ ନାରାୟଣ ରାଓ, ବିଶିଷ୍ଟ ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା, ଗୁଣନିଧି ବେହେରା, ଶିକ୍ଷକ ସଙ୍ଗଠନ ନେତା ଅଶୋକ ଦଳାଇ, ହୃଷୀକେଶ ପାତ୍ର, ଆପ୍ ନେତା ଆଦିତ୍ୟ ରଥ, ଯୁବ ନେତା ତଥା ସମାଜସେବୀ କାହ୍ନୁ ଚରଣ ପାତ୍ର, ମନୋଜ କୁମାର ତରାଇ, କେ. ନନ୍ଦେସୁ ସେନାପତି, ଶ୍ୟାମସୁନ୍ଦର ଖାଡ଼ଙ୍ଗା, କୁନି ଦେବୀ, ପ୍ରଭାକର ସାହୁ, ବୀରେନ କୁମାର ବେହେରା, ସବିତା ସାହୁକାର, ରମେଶ ପ୍ରସାଦ ଦାସ, ସୁଧୀର ସାହୁ, ଅଭିମନ୍ୟୁ ଦଳାଇ ଏବଂ ଏମ୍. ଏସ୍. ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
