ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି: ଶେଷ ଧାଡ଼ିର ଲୋକଙ୍କ ସେବା ହିଁ ମୂଳ ଲକ୍ଷ୍ୟ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତି ଉଭୟ ମହାନ ଯୁଗପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ନେତାଙ୍କ ଅତୁଳନୀୟ ତ୍ୟାଗ, ନୈତିକତା ଓ ଦେଶସେବାକୁ ସ୍ମରଣ କରି କହିଥିଲେ ଯେ, ସେମାନଙ୍କ ଜୀବନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ। ମହାତ୍ମା ଗାନ୍ଧୀ କେବଳ ଦେଶକୁ ସ୍ୱାଧୀନତା ଦେଇ ନଥିଲେ, ବରଂ ସାରା ବିଶ୍ୱକୁ ନୈତିକତା, ସତ୍ୟାଗ୍ରହ ଓ ଅହିଂସାର ଏକ ନୂତନ ମାର୍ଗ ଦେଖାଇଥିଲେ। ସମାଜର ଶେଷ ଧାଡ଼ିରେ ଠିଆ ହୋଇଥିବା ଅନ୍ତିମ ବ୍ୟକ୍ତି ପାଖରେ ବିକାଶର ସୁଫଳ ପହଞ୍ଚାଇବା, ସ୍ୱଚ୍ଛତା ରକ୍ଷା କରିବା ଏବଂ ସ୍ୱଦେଶୀ ଚିନ୍ତାଧାରାକୁ ଆପଣାଇବା ଥିଲା ଗାନ୍ଧୀଜୀଙ୍କ ମୂଳ ସ୍ୱପ୍ନ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶବ୍ୟାପୀ ସ୍ୱଚ୍ଛତା ଏକ ଜନଆନ୍ଦୋଳନରେ ପରିଣତ ହୋଇଥିବା ବେଳେ ‘ସ୍ୱଦେଶୀ’ ମନ୍ତ୍ର ‘ଆତ୍ମନିର୍ଭର ଭାରତ’ ଗଠନକୁ ସୁଦୃଢ଼ କରୁଛି ଏବଂ ‘ଅନ୍ତ୍ୟୋଦୟ’ ମାଧ୍ୟମରେ ଗରିବ ଜନସାଧାରଣ ସଶକ୍ତ ହେଉଛନ୍ତି।

ସେହିପରି ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ସରଳ ଜୀବନ, ଉଚ୍ଚ ଆଦର୍ଶ ତଥା ନିଃସ୍ୱାର୍ଥପର ଦେଶସେବାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶାସ୍ତ୍ରୀଜୀଙ୍କ ‘ଜୟ ଜବାନ, ଜୟ କିଷାନ’ର ଐତିହାସିକ ଆହ୍ୱାନ ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ନୂତନ ଶକ୍ତି ଓ ଉତ୍ସାହ ଭରିଦିଏ। ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସା ଏବଂ ଶାସ୍ତ୍ରୀଜୀଙ୍କ କର୍ତ୍ତବ୍ୟନିଷ୍ଠାକୁ ମୂଳମନ୍ତ୍ର କରି ଏକ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଗଠନ ପାଇଁ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଏହି ପରିପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜନ କରାଯିବା ସହ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ‘ରାମଧୂନ’ ପରିବେଷଣ କରାଯାଇଥିଲା। ବିଧାନସଭା ପରିସରରେ ଆୟୋଜିତ ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ, ଆଇନ୍ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ, ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ସମେତ ବହୁ ବିଧାୟକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.