
କୋରାପୁଟ : ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମ ପଞ୍ଚାୟତଠାରେ ଆଜି ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଜନସାଧାରଣଙ୍କଠାରୁ ମୋଟ ୩୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା, ଯେଉଁଥିରେ ୧୪ଟି ବ୍ୟକ୍ତିଗତ ଏବଂ ୨୪ଟି ଗୋଷ୍ଠୀଗତ ଅଭିଯୋଗ ଅନ୍ତର୍ଭୁକ୍ତ ଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ୬ଟିର ଶିବିରରେ ହିଁ ତତ୍କାଳ ସମାଧାନ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗଗୁଡ଼ିକର ସଠିକ୍ ତଦନ୍ତ କରି ନିୟମାନୁଯାୟୀ ତ୍ୱରିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆବଶ୍ୟକ ସ୍ଥଳେ କ୍ଷେତ୍ର ପରିଦର୍ଶନ କରି ସମସ୍ୟାର ସମାଧାନ କରିବାକୁ ସେ ପରାମର୍ଶ ଦେଇଥିଲେ।
ଏହି ଜନଅଭିଯୋଗ ଶୁଣାଣି ଶିବିରରେ ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋଜ ପୂଜାରୀ, ଜିଲ୍ଲା ବନଖଣ୍ଡ ଅଧିକାରୀ (DFO), ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (CDO-cum-EO) ବେଣୁଧର ସବର ଏବଂ ବୈପାରିଗୁଡ଼ା ବିଡିଓ ସୁବ୍ରତ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ୍ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
