ନିରୀହ ଖାଉଟିଙ୍କ ଜୀବନ ସହ ସାଙ୍ଘାତିକ ଖେଳ : ଆସିକାରେ ବନ୍ୟା ଜଳରେ ଭିଜିଥିବା ଅଟା ରି-ପ୍ୟାକିଂ କରି ବିକ୍ରି ଉଦ୍ୟମ, ଭିଡିଓ ଭାଇରାଲ

ବ୍ରହ୍ମପୁର/ଆସିକା : ଗଞ୍ଜାମ ଜିଲ୍ଲାର ଆସିକା ସହରରେ ସାଧାରଣ ଓ ନିରୀହ ଖାଉଟିଙ୍କ ଜୀବନ ସହ ଖେଳାଯାଉଥିବା ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଆସିକା ସ୍ଥିତ ଭାଗବତ ମଠ ସମ୍ମୁଖରେ ଜଣେ ଅସାଧୁ ଗ୍ରୋସରୀ ବ୍ୟବସାୟୀ ବନ୍ୟା ଜଳରେ ଭିଜି ନଷ୍ଟ ହୋଇଯାଇଥିବା ଅଟାକୁ ପୁନର୍ବାର ବଡ଼ ବଡ଼ ବସ୍ତାରେ ରି-ପ୍ୟାକିଂ କରୁଥିବା ଦେଖିବାକୁ ମିଳିଛି। ଖାଉଟିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବା ଏହି ବେଆଇନ କାର୍ଯ୍ୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ନିକଟରେ ହୋଇଥିବା ବନ୍ୟାରେ ଆସିକା ଅଞ୍ଚଳର ବହୁ ବ୍ୟବସାୟିକ ପ୍ରତିଷ୍ଠାନରେ ପାଣି ପଶିଯାଇଥିଲା। ଏହାପରେ ଅନେକ ବ୍ୟବସାୟୀ ବନ୍ୟା ପାଣିରେ ଭିଜିଯାଇଥିବା କପଡ଼ା, ଜୋତା, ବେଲ୍ଟ ଆଦି ସାମଗ୍ରୀକୁ ଖାଉଟିମାନଙ୍କୁ ସୂଚନା ଦେଇ ଅଧା ଦାମରେ ବିକ୍ରି କରିଥିଲେ। କିନ୍ତୁ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ଜଣେ ବ୍ୟବସାୟୀ ଅମାନବୀୟତାର ସବୁ ସୀମା ଟପିଯାଇଛନ୍ତି। ସମ୍ପୃକ୍ତ ଗ୍ରୋସରୀ ଦୋକାନୀ ଜଣକ ବନ୍ୟା ଜଳରେ ଭିଜିଯାଇଥିବା ଏକ କେଜିଆ ଅଟା ପ୍ୟାକେଟଗୁଡ଼ିକୁ ଖୋଲି ସେଥିରୁ ଅଟା ବାହାର କରି ବଡ଼ ବଡ଼ ବସ୍ତାରେ ଭର୍ତ୍ତି କରି ରି-ପ୍ୟାକିଂ କରୁଥିବା ଭିଡିଓରେ ସ୍ପଷ୍ଟ ଦେଖାଯାଉଛି।
ବନ୍ୟା ଜଳରେ ଭିଜିଥିବା ଅଟାରେ ଫିମ୍ପି ଓ ବିଭିନ୍ନ ପ୍ରକାରର ବିଷାକ୍ତ ଜୀବାଣୁ ସୃଷ୍ଟି ହୋଇଥାଏ। ଅଳ୍ପ ଲାଭ ଆଶାରେ ଏଭଳି ନିମ୍ନମାନର ଓ ଅସ୍ୱାସ୍ଥ୍ୟକର ଅଟାକୁ ବଜାରରେ ବିକ୍ରି କରାଗଲେ, ଏହାକୁ ଖାଦ୍ୟ ରୂପେ ଗ୍ରହଣ କରୁଥିବା ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପଡ଼ିବା ସହ ବିଭିନ୍ନ ପେଟ ରୋଗ ଓ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି।
ଅନ୍ୟପକ୍ଷରେ, ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଅଭିଯୋଗ ଜଣାଇବା ପାଇଁ ଆସିକା ଯୋଗାଣ ଅଧିକାରୀଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍ ରିସିଭ୍ କରିନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଏଭଳି ଉଦାସୀନତା ଯୋଗୁଁ ସାଧାରଣ ଜନତାଙ୍କ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାପାଳ ଏବଂ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର (RDC) ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସମ୍ପୃକ୍ତ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
