ମୋତିଗାଁ ଆଶ୍ରମ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସହଭାଗିତା ବୈଠକ ସହ ପାଳିତ ହେଲା ଜନଜାତୀୟ ଗୌରବ ଦିବସ

kalipuja

ଉମରକୋଟ / ଚନ୍ଦାହାଣ୍ଡି : ଶିକ୍ଷାର ଗୁଣାତ୍ମକ ବିକାଶ ସହ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁଦୃଢ଼ ସମନ୍ୱୟ ସ୍ଥାପନ ଲକ୍ଷ୍ୟରେ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମୋତିଗାଁ ସରକାରୀ ଆଶ୍ରମ ବିଦ୍ୟାଳୟ ପରିସରରେ ଅଭିଭାବକ-ଶିକ୍ଷକ ସହଭାଗିତା ବୈଠକ ସହ ଜନଜାତୀୟ ଗୌରବ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନଶିକ୍ଷକ ରିମିଚାନ ଚୌହାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବରିଷ୍ଠ ବିଜେପି ନେତା ଗୋବିନ୍ଦ କୁମାର ଜୈନ ମୁଖ୍ୟ ଅତିଥି, ବିଶିଷ୍ଟ ଶିକ୍ଷାବିତ୍ ତଥା ସକ୍ରିୟ ବିଜେପି ନେତା ପୁରୁଷୋତ୍ତମ ପାରି ମୁଖ୍ୟବକ୍ତା ଏବଂ ଗମ୍ଭାରୀଗୁଡ଼ା ପଞ୍ଚାୟତର ସରପଞ୍ଚ ମଥୁରା ପୂଜାରୀ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ସମିତି ସଭ୍ୟା ସୁଶ୍ରୀ ଗୌରୀ ନେଙ୍ଗୀ ସ୍ୱତନ୍ତ୍ର ଅତିଥି ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ନୀଳାମ୍ବର ବାଘ ଓ ଅବସରପ୍ରାପ୍ତ ଶିକ୍ଷକ ନରେଶ୍ୱର ବେଶ୍ରା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାରମ୍ପରିକ ବନ୍ଦାପନା ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ମଞ୍ଚକୁ ପାଛୋଟି ନେଇଥିଲେ। ଅତିଥିମାନଙ୍କୁ ପରିଚୟ ପ୍ରଦାନ ପରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ମଞ୍ଚ ନିକଟସ୍ଥ ବିଘ୍ନବିନାଶକ ପ୍ରଭୁ ଗଜାନନଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ବକ୍ତାମାନେ ନିଜ ଅଭିଭାଷଣରେ ଅଭିଭାବକ, ଶିକ୍ଷକ ଓ ବିଦ୍ୟାଳୟ ମଧ୍ୟରେ ଉତ୍ତମ ସମ୍ପର୍କ ଓ ସହଭାଗିତା ରହିଲେ ଛାତ୍ରଛାତ୍ରୀଙ୍କ ଶିକ୍ଷା, ଚରିତ୍ର ଗଠନ ଏବଂ ସାମଗ୍ରିକ ବିକାଶ ଅଧିକ ସୁଦୃଢ଼ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ।
ଏଥିସହ ଜନଜାତୀୟ ଗୌରବ ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ମହାନ ଜନଜାତୀୟ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ, ଜୀବନୀ ଓ ସଂଘର୍ଷମୟ ଆଦର୍ଶ ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ଆଦିବାସୀ ସମାଜର ଅଧିକାର, ସୁରକ୍ଷା, ସମ୍ମାନ ଓ ସ୍ୱାଭିମାନର ସୁରକ୍ଷା ପାଇଁ ବିର୍ସା ମୁଣ୍ଡାଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିବା ସହ ତାଙ୍କ ନୀତି, ଆଦର୍ଶ ଓ ଦେଶପ୍ରେମକୁ ପାଥେୟ କରି ନୂତନ ପିଢ଼ି ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ସୂଚିତ କୁମାର ସାହୁ ସୁଚାରୁ ରୂପେ ସଂଯୋଜନା କରିଥିଲେ। ଏଥିରେ ସହକାରୀ ଶିକ୍ଷକ ହରିଶ୍ଚନ୍ଦ୍ର ସାହୁ, ମୁରଲୀ ମୋହନ ହାତୀ, ବିଭୁଭୂଷଣ ସ୍ୱାଇଁ, ପ୍ରହଲ୍ଲାଦ ଭୂୟାଁ, ପିଙ୍କି ପ୍ରିୟା ବାଘ ଓ ଜୟମତି ମାଝୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.