ମାଲକାନଗିରିରେ ସୌର ଶକ୍ତି ସଚେତନତା ପାଇଁ ଟିପିଏସ୍‌ଓଡିଏଲ୍‌ର ‘ସୋଲାର ରଥ’ ଶୁଭାରମ୍ଭ: ଜିଲ୍ଲାର ସମସ୍ତ ୭ଟି ବ୍ଲକ୍‌ ପରିକ୍ରମା କରି ପିଏମ୍ ସୂର୍ଯ୍ୟ ଘର ଯୋଜନାର ବାର୍ତ୍ତା ପହଞ୍ଚାଇବ

kalipuja

ମାଲକାନଗିରି, ନଭେମ୍ବର ୨୦୨୬: ମାଲକାନଗିରି ଜିଲ୍ଲାର ସହରଠାରୁ ଦୁର୍ଗମ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ ସମ୍ପର୍କରେ ସଚେତନତା ପହଞ୍ଚାଇବା ଲକ୍ଷ୍ୟରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍), ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ସୋଲାର ରଥର ଶୁଭାରମ୍ଭ କରିଛି। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ, ଆଇ.ଏ.ଏସ୍ ଏହି ସୋଲାର ରଥକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଟିପିଏସ୍‌ଓଡିଏଲ୍‌ର ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଏହି ସୋଲାର ରଥ ମାଲକାନଗିରି ଜିଲ୍ଲାର ସମସ୍ତ ୭ଟି ବ୍ଲକ୍‌—ମାଲକାନଗିରି, କାଲିମେଳା, ପୋଡ଼ିଆ, କୋରୁକୋଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ ଓ ମାଥିଲି—ପରିକ୍ରମା କରିବ। ବିଭିନ୍ନ ଗ୍ରାମ ପଞ୍ଚାୟତ, ସ୍ଥାନୀୟ ବଜାର ଓ ଗାଁଗୁଡ଼ିକରେ ପହଞ୍ଚି ସୋଲାର ରଥ ମାଧ୍ୟମରେ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନର ଲାଭ, ସ୍ୱଚ୍ଛ ଶକ୍ତି ବ୍ୟବହାରର ଦୀର୍ଘମିଆଦୀ ସୁଫଳ ଏବଂ ଏହି ଯୋଜନା ଅଧୀନରେ ଉପଲବ୍ଧ ସରକାରୀ ସବ୍‌ସିଡି ସମ୍ପର୍କରେ ଗ୍ରାହକମାନଙ୍କୁ ସଚେତନ କରାଯିବ। ଏହାଦ୍ୱାରା ସାଧାରଣ ଲୋକେ ଘରେ ବସି ସୌର ଶକ୍ତିର ଉପକାରିତା ବିଷୟରେ ପ୍ରତ୍ୟକ୍ଷ ଭାବେ ଜାଣିବାର ସୁଯୋଗ ପାଇପାରିବେ।

ଏହାସହ ‘ସୋଲାର ସାଙ୍ଗ’ଙ୍କ ମାଧ୍ୟମରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ସମ୍ବନ୍ଧୀୟ ପ୍ରଚାର ପତ୍ର ବଣ୍ଟନ କରାଯିବ। ଏଥିସହିତ ସୋଲାର ରଥରେ ଆକର୍ଷଣୀୟ ରେଡିଓ ଜିଙ୍ଗଲର ବ୍ୟବସ୍ଥା ମଧ୍ୟ ରହିଛି। ଏହାଦ୍ୱାରା ଜିଲ୍ଲାର ଦୁର୍ଗମ ଓ ଗ୍ରାମାଞ୍ଚଳରେ ରହୁଥିବା ପରିବାରଗୁଡ଼ିକ ସମେତ ଅଧିକରୁ ଅଧିକ ଘରକୁ ଯୋଜନା ସମ୍ପର୍କିତ ସୂଚନା ପହଞ୍ଚାଇବାକୁ ଉଦ୍ୟମ କରାଯିବ। ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଗ୍ରାହକମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋଟ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ପାଇପାରିବେ, ଯାହା ସାଧାରଣ ଉପଭୋକ୍ତାଙ୍କ ବିଜୁଳି ବିଲ୍‌ ବୋଝକୁ ଯଥେଷ୍ଟ ହ୍ରାସ କରିବାରେ ସହାୟକ ହେବ।

ଏହି ଅବସରରେ ଟିପିଏସ୍‌ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଦକ୍ଷିଣ ଓଡ଼ିଶାର ଅଧିକରୁ ଅଧିକ ପରିବାର, ବିଶେଷକରି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନର ସୁଫଳ ପହଞ୍ଚାଇବା ଆମର ଲକ୍ଷ୍ୟ। ସୋଲାର ରଥ ମାଧ୍ୟମରେ ଆମେ ଏହି ସଚେତନତାର ବାର୍ତ୍ତା ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା, ସୌର ପ୍ୟାନେଲ୍ ସ୍ଥାପନ ପ୍ରତି ବିଶ୍ୱାସ ସୃଷ୍ଟି କରିବା ଏବଂ ଏହାର ବ୍ୟାବହାରିକ ଲାଭ ବୁଝାଇବାକୁ ଉଦ୍ୟମ କରୁଛୁ। ନିରନ୍ତର ସଚେତନତା ଅଭିଯାନ ଓ ଗ୍ରାହକଙ୍କ ସହ ଯୋଗାଯୋଗ ମାଧ୍ୟମରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନାରେ ଅଧିକ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ସହ ଏକ ସ୍ୱଚ୍ଛ, ସବୁଜ ଏବଂ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଭବିଷ୍ୟତ ଗଠନରେ ଯୋଗଦାନ କରିବାକୁ ଆମେ ଚାହୁଁଛୁ।”

ଏଭଳି ଅଭିଯାନ ମାଧ୍ୟମରେ ଟିପିଏସ୍‌ଓଡିଏଲ୍ ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହ ଉପଭୋକ୍ତାଙ୍କୁ ସ୍ଥାୟୀ ଶକ୍ତି ସମାଧାନ ଆପଣାଇବା ପାଇଁ ସଶକ୍ତ କରିବା ନିମନ୍ତେ ନିଜର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରୁଛି।

ଉଦ୍‌ଘାଟନୀ ଅବସରରେ ଟିପିଏସ୍‌ଓଡିଏଲ୍‌ର ଚିଫ୍ ଅପରେସନ୍ସ ଶ୍ରୀ ମିଲିନ୍ଦ ପ୍ରଭାକର କୁଲକର୍ଣ୍ଣି, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ତଥା ଜୋନାଲ୍ ହେଡ୍ (ଜୟପୁର) ଶ୍ରୀ ମନ୍ମଥ ନାଥ ମିଶ୍ର, ସର୍କଲ ହେଡ୍ (ଜୟପୁର) ଶ୍ରୀ ଟି. ତପନରଶ୍ମି ସୁବୁଧି ଏବଂ ମାଲକାନଗିରି ଡିଭିଜନ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଆଶିଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.