ଜୟପୁର ବ୍ଲକ୍ର ରାଣିଗଡ଼ ଗ୍ରାମ ପଞ୍ଚାୟତରେ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି: ୭୬ଟି ଅଭିଯୋଗ ଗ୍ରହଣ, ୮ଟିର ତତ୍କାଳ ସମାଧାନ

କୋରାପୁଟ (୨୨/୧୧/୨୬): ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଓ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଜୟପୁର ବ୍ଲକ୍ର ରାଣିଗଡ଼ ଗ୍ରାମ ପଞ୍ଚାୟତଠାରେ ଆଜି ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ଅଞ୍ଚଳର ବହୁ ଜନସାଧାରଣ ଯୋଗଦେଇ ନିଜ ନିଜର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଥିଲେ।
ଶିବିରରେ ମୋଟ ୭୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୮ଟି ବ୍ୟକ୍ତିଗତ ଓ ୩୮ଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା। ଏଥିମଧ୍ୟରୁ ୮ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଆର୍ଥିକ ସହାୟତା, ଘର ପଟ୍ଟା, ଜମିଜମା ବିବାଦ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ରାସ୍ତା ଓ ଯାତାୟାତ ଏବଂ ବିଦ୍ୟୁତ୍ ସରବରାହ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକମାନେ ନିଜ ନିଜର ଅଭିଯୋଗ ଉପସ୍ଥାପନ କରିଥିଲେ।
ଜିଲ୍ଲାପାଳ ଉପସ୍ଥିତ ଜନସାଧାରଣଙ୍କଠାରୁ ଅଭିଯୋଗଗୁଡ଼ିକ ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଅଭିଯୋଗର ପ୍ରକୃତ ସ୍ଥିତି ଯାଞ୍ଚ କରି ନିୟମାନୁଯାୟୀ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ। ଯେଉଁ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ସ୍ଥଳ ପରିଦର୍ଶନ ଓ ଅଧିକ ତଦନ୍ତ ଆବଶ୍ୟକ, ସେଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଯାଞ୍ଚ କରି ଶୀଘ୍ର ସମାଧାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗଗୁଡ଼ିକର ନିୟମିତ ଅନୁଧ୍ୟାନ କରି ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଓ ସେବା ପ୍ରଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।
ଶିବିରରେ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ଜୟପୁର ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ (CDO-cum-EO) ବେଣୁଧର ସବର, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ (PA, ITDA) ତୃପ୍ତି ବାରାଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ରବୀନ୍ଦ୍ର ପଣ୍ଡା, ଜୟପୁର ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚୀ ଜେନା ଏବଂ ସ୍ଥାନୀୟ ସରପଞ୍ଚଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ୍ସ୍ତରୀୟ ଅଧିକାରୀ, କର୍ମଚାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ପ୍ରଶାସନର ଏଭଳି ସିଧାସଳଖ ଜନସମ୍ପର୍କ ଓ ତ୍ୱରିତ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି।
