ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଦେବାଳୟରେ ଭକ୍ତିର ମହାସମାଗମ: ବୋଇତ ବନ୍ଦାଣ ସହ କେଦାର ବ୍ରତ ଓ କାର୍ତ୍ତିକ ବ୍ରତର ଉଦ୍ଯାପନ

ବାଲିଗୁଡ଼ା, ୨୪/୧୧: ଭକ୍ତି, ଆସ୍ଥା ଓ ଓଡ଼ିଆ ପରମ୍ପରାର ଅନନ୍ୟ ସମନ୍ୱୟରେ ମୁଖରିତ ହୋଇଉଠିଛି ସମଗ୍ର ବାଲିଗୁଡ଼ା ଅଞ୍ଚଳ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ସହ କେଦାର ବ୍ରତ ଓ କାର୍ତ୍ତିକ ବ୍ରତର ଉଦ୍ଯାପନ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଗୁଡ଼ା ସମେତ କନ୍ଧମାଳ ଜିଲ୍ଲାର ବିଭିନ୍ନ ମନ୍ଦିର, ଶୈବପୀଠ ଓ ଧାର୍ମିକ ଅନୁଷ୍ଠାନଗୁଡ଼ିକରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା।
ପରମ୍ପରା ଅନୁଯାୟୀ, ଭୋରରୁ ଶ୍ରଦ୍ଧାଳୁମାନେ ପ୍ରାତଃ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ କରି ମନ୍ଦିର ଅଭିମୁଖେ ବାହାରିଥିଲେ। ଦେବଦେବୀଙ୍କ ଦର୍ଶନ, ପୂଜାର୍ଚ୍ଚନା, ଦୀପଦାନ ଓ ବ୍ରତ ଉଦ୍ଯାପନରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଅନ୍ୟପଟେ, ବୋଇତ ବନ୍ଦାଣ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ ଜଳାଶୟ ଓ ନଦୀକୂଳରେ କଦଳୀ ପଟୁଆରେ ନିର୍ମିତ ଛୋଟ ଛୋଟ ଡଙ୍ଗାରେ ଦୀପ ଜାଳି ଭକ୍ତିଭାବର ସହ ଭସାଇଥିଲେ ଲୋକେ। ବିଶେଷକରି ବାଲିଗୁଡ଼ାର ବିରୁପାକ୍ଷ ମନ୍ଦିର ଓ ରାମେଶ୍ୱର ମନ୍ଦିର, ଦଣ୍ଡପଦରସ୍ଥିତ ଧବଳେଶ୍ୱର ମନ୍ଦିର, ଜାଲେଶପଟ୍ଟାର ଜଳେଶ୍ୱର ପୀଠ, ଚକାପାଦର ବିରୁପାକ୍ଷ ମନ୍ଦିର ଏବଂ ଡୁଙ୍ଗୀସ୍ଥିତ ପଞ୍ଚଲିଙ୍ଗେଶ୍ୱର ପୀଠରେ ଦିନତମାମ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ସେହିପରି ବିଭିନ୍ନ ଅଞ୍ଚଳର ଜଗନ୍ନାଥ ମନ୍ଦିର, ମା’ ପାଟଖଣ୍ଡା ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥିଲା।
ମନ୍ଦିର ପରିସରରେ ଘଣ୍ଟ, ଶଙ୍ଖ ଓ ହରିନାମ ସଂକୀର୍ତ୍ତନର ଧ୍ୱନି ଆଧ୍ୟାତ୍ମିକ ପରିବେଶକୁ ଅଧିକ ଭାବଗମ୍ଭୀର କରିଥିଲା। ତୁଳସୀ ଚଉରା ନିକଟରେ ମହିଳାମାନେ ସ୍ୱତନ୍ତ୍ର ପୂଜାବିଧି କରିବା ସହ ପରିବାରର ମଙ୍ଗଳ, ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। କେତେକ ସ୍ଥାନରେ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଭଳି ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। କାର୍ତ୍ତିକ ମାସର ଦୀର୍ଘ ଏକମାସ ବ୍ୟାପୀ ଧାର୍ମିକ ଆଚରଣ ଓ ନିଷ୍ଠାର ପରିସମାପ୍ତି ଭାବେ ପୂର୍ଣ୍ଣିମା ଦିନଟିକୁ ଶ୍ରଦ୍ଧାଳୁମାନେ ବିଶେଷ ଭାବେ ପାଳନ କରିଥିଲେ। ଅନେକ ଶ୍ରଦ୍ଧାଳୁ ପରିବାର ସଦସ୍ୟଙ୍କ ସହ ବିଭିନ୍ନ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିବା ବେଳେ ମନ୍ଦିରଗୁଡ଼ିକରେ ଭକ୍ତିମୟ ପରିବେଶ ସହ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା।
ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବପୁଅଙ୍କ ସାହସିକ ସମୁଦ୍ରଯାତ୍ରାର ସ୍ମୃତି ବହନ କରେ ଏହି ବୋଇତ ବନ୍ଦାଣ ପରମ୍ପରା। ଏହି ପରମ୍ପରା ମାଧ୍ୟମରେ ନିଜର ଐତିହ୍ୟ, ସଂସ୍କୃତି ଓ ପୂର୍ବପୁରୁଷଙ୍କ ଗୌରବମୟ ଇତିହାସକୁ ସ୍ମରଣ କରିଥିଲେ ଅଞ୍ଚଳବାସୀ। ଏହିପରି ଭାବେ ଧାର୍ମିକ ନିଷ୍ଠା, ପାରମ୍ପରିକ ଆସ୍ଥା ଓ ଓଡ଼ିଆ ଅସ୍ମିତାର ବାର୍ତ୍ତା ନେଇ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ।
