ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ରାଜ୍ୟପାଳ: ସାମଗ୍ରିକ ବିକାଶ ପାଇଁ ସମନ୍ୱିତ ଉଦ୍ୟମ ଓ ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ଉପରେ ଗୁରୁତ୍ୱାରୋପ

kalipuja

ଭୁବନେଶ୍ୱର, ନଭେମ୍ବର ୨୩: ଖୋର୍ଦ୍ଧା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସାମୂହିକ ଉଦ୍ୟମ ଉପରେ ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଗୁରୁତ୍ୱାରୋପ କରିଛନ୍ତି। ଜିଲ୍ଲାର ବିକାଶ ଲକ୍ଷ୍ୟ ହାସଲ ପାଇଁ ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ, ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଏବଂ ବିକାଶମୂଳକ କାର୍ଯ୍ୟର ନିୟମିତ ସମୀକ୍ଷା ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାକୁ ଦିନିକିଆ ଗସ୍ତ ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା ଆଲୋଚନା ସମୟରେ ରାଜ୍ୟପାଳ ଏହା କହିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ, ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିତ ପର୍ଶୋତ୍ତମଦାସଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ।

ବିଭିନ୍ନ ବିକାଶମୂଳକ ପଦକ୍ଷେପର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରି ରାଜ୍ୟପାଳ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବା ପାଇଁ ବିଭାଗୀୟ ସମନ୍ୱୟ ଓ ନିୟମିତ ସମୀକ୍ଷାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ସାକାର କରିବା ଦିଗରେ ନିଜର ସକ୍ରିୟ ଯୋଗଦାନ ରଖିବାକୁ ରାଜ୍ୟପାଳ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।

ଏହି ବୈଠକରେ ସାଇନ୍ସ ସିଟି, ଶିଳ୍ପାଞ୍ଚଳ, ବୃହତ୍ ଜଳସେଚନ ପ୍ରକଳ୍ପ, କ୍ରୀଡ଼ା ଭିତ୍ତିଭୂମି, ପାଠାଗାର, ପାଇକ ସ୍ମାରକୀ ଓ ସାଂସ୍କୃତିକ କେନ୍ଦ୍ର, ବୟନ ଶିଳ୍ପ ହବ୍‌ର ସମ୍ପ୍ରସାରଣ, ଚିଲିକା ଇକୋ-ଟୁରିଜିମ୍ ଓ ବନ୍ୟଜନ୍ତୁ ପର୍ଯ୍ୟଟନ ସର୍କିଟ୍, ଐତିହ୍ୟ ଓ ତୀର୍ଥସ୍ଥଳୀର ଭିତ୍ତିଭୂମି ବିକାଶ ଏବଂ ପାନୀୟ ଜଳ ସୁବିଧା ଆଦି ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହାସହ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ପ୍ରକ୍ରିୟା ଏବଂ ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ଉପରେ ମଧ୍ୟ ସମୀକ୍ଷା ହୋଇଥିଲା। ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ଉପରେ ଜୋର ଦେବା ସହ ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବା ଉପରେ ରାଜ୍ୟପାଳ ବିଶେଷ ଗୁରୁତ୍ୱାରୋପ କରିଥିଲେ।

ଖୋର୍ଦ୍ଧା ଜିଲ୍ଲା ଗସ୍ତ ଅବସରରେ ରାଜ୍ୟପାଳ ଟାଙ୍ଗୀ ବ୍ଲକ୍‌ର ଭୁଷଣ୍ଡପୁରସ୍ଥିତ ପବିତ୍ର ମା’ ଉଗ୍ରତାରା ମନ୍ଦିର ଦର୍ଶନ କରିବା ସହ ବିଧିପୂର୍ବକ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେ ସମଗ୍ର ଓଡ଼ିଶାବାସୀଙ୍କ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ମା’ଙ୍କ ନିକଟରେ ଆଶୀର୍ବାଦ ପ୍ରାର୍ଥନା କରିଥିଲେ।

ପରେ ସେ ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ସାନରାଉତପଡ଼ା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ସ୍ଥାନୀୟ ଜନପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ସଦସ୍ୟା ଏବଂ ପିଏମ୍‌ଏୱାଇ-ଜି (PMAY-G), ପୋଷଣ ଓ ମୁଦ୍ରା ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଓ ତୃଣମୂଳସ୍ତରରେ ଏହାର ବାସ୍ତବ ପ୍ରଭାବ ସମ୍ପର୍କରେ ସେ ହିତାଧିକାରୀମାନଙ୍କ ଅନୁଭୂତି ଓ ମତାମତ ଶୁଣିଥିଲେ। ସରକାରୀ ଯୋଜନାର ସୁଫଳ ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ଜନସହଭାଗିତାର ଗୁରୁତ୍ୱ ଉପରେ ରାଜ୍ୟପାଳ ଆଲୋକପାତ କରିଥିଲେ।

ad-week
Leave A Reply

Your email address will not be published.