
ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍) : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଝିରପାଣି ଥାନା ଅଞ୍ଚଳରେ ଘଟିଥିବା ଏକ ବଡ଼ ଧରଣର ଅଳଙ୍କାର ଦୋକାନ ଚୋରି ମାମଲାର ପର୍ଦ୍ଦାଫାସ କରିବାରେ ରାଉରକେଲା ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ଝାଡ଼ଖଣ୍ଡ ରାଜ୍ୟରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି ।
ସୂଚନା ଅନୁଯାୟୀ, ଗତ ଫେବୃଆରୀ ୨୫ ଓ ୨୬ ତାରିଖ ରାତିରେ ଝିରପାଣି ଥାନା ଅନ୍ତର୍ଗତ ଏକ ଗହଣା ଦୋକାନରୁ ଲୁଟ୍ ହୋଇଥିଲା। ଦୁର୍ବୃତ୍ତମାନେ ଗ୍ୟାସ୍ କଟର୍ ସହାୟତାରେ ଦୋକାନର କାନ୍ଥ ତାଡ଼ି ଭିତରକୁ ପ୍ରବେଶ କରିଥିଲେ ଏବଂ ପ୍ରାୟ ୫୦୦ ଗ୍ରାମ ସୁନା ଓ ୧୫ କିଲୋଗ୍ରାମ ରୂପା ଅଳଙ୍କାର ଚୋରି କରି ଫେରାର ହୋଇଯାଇଥିଲେ।
ଏହି ଘଟଣା ପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ବିଭିନ୍ନ ବୈଷୟିକ ପ୍ରମାଣ ଏବଂ ସିସିଟିଭି (CCTV) ଫୁଟେଜ୍କୁ ଆଧାର କରି ପୋଲିସ ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ମୋଟ ୭ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲ୍ଲା ଅନ୍ତର୍ଗତ ରାଧାନଗର ଥାନା ଅଞ୍ଚଳରୁ ଗିରଫ କରାଯାଇଛି। ମାମଲାରେ ସମ୍ପୃକ୍ତ ଅନ୍ୟ ୬ ଜଣ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ତଲାସୀ ଅଭିଯାନ ଜାରି ରହିଥିବା ସୂଚନା ମିଳିଛି।
