ୟୁରୋପର ସର୍ବବୃହତ୍‌ ଇସ୍ପାତ କାରଖାନା ଧ୍ବଂସ

କିବ୍‌: ୟୁକ୍ରେନୀୟ ବନ୍ଦର ନଗରୀ ମାରିଉପୋଲ୍‌ ଦଖଲ କରିବାକୁ ଯାଇ ରୁଷୀୟ ସୈନିକମାନେ ସେଠାରେ ଥିବା ୟୁରୋପ୍‌ର ବୃହତ୍ତମ ଲୁହା ଏବଂ ଇସ୍ପାତ୍‌ କାରଖାନା ‘ଅଜୋଭସ୍ତାଲ୍‌’କୁ ବିଧ୍ବସ୍ତ କରି ପକାଇଛନ୍ତି ବ‌ୋଲି ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ୟୁକ୍ରେନୀୟ ସାଂସଦ ଲେସିଆ ଭାସିଲେଙ୍କୋ ଟୁଇଟ୍‌ କରିଛନ୍ତି, ୟୁରୋପ୍‌ର ଅନ୍ୟତମ ବୃହତ୍ତମ ଇସ୍ପାତ କାରଖାନା ଧ୍ବଂସ ହୋଇଯାଇଛି। ୟୁକ୍ରେନ୍‌ ଅର୍ଥନୀତିରେ ବଡ଼ କ୍ଷତି ହେଲା। ପରିବେଶ ବିଧ୍ବସ୍ତ ହୋଇଛନ୍ତି।

ଏଥିସହ ଶିଳ୍ପାଞ୍ଚଳ ଉପରେ ଓ ପରିସରରେ ବିସ୍ଫୋରଣ ଘଟି ଅଟ୍ଟାଳିକାମାନଙ୍କରୁ ଧୂସର ଓ କଳା ଧୂଆଁର କୁଣ୍ଡଳୀ ଉଠୁଥିବା ଭିଡିଓ ମଧ୍ୟ ଭା‌ସିଲେଙ୍କୋ ପୋଷ୍ଟ୍‌ କରିଛନ୍ତି। ତାଙ୍କର ଅନ୍ୟତମ ସହକର୍ମୀ ସେର୍‌ହି ତାରୁତା ‌ ‘ଫେସ୍‌ବୁକ୍‌’ରେ ଲେଖିଛନ୍ତି ଯେ, ରୁଷୀୟ ସେନା ଇସ୍ପାତ କାରଖାନାର କିଛି ଅଂଶ ନଷ୍ଟ କରି ଦେଇଛନ୍ତି। କ୍ଷୟକ୍ଷତିର ପରିମାଣ ନ ଦର୍ଶାଇ’ଅଜୋଭ୍‌ସ୍ତାଲ୍‌’ର ମହାନିର୍ଦେଶକ ଏନ୍‌ଭର୍‌ ତସ୍କିତିଶଭିଲି ‘ଟେଲିଗ୍ରାମ୍‌’ରେ ଲେଖିଛନ୍ତି, ଆମେ ସେ ସହରକୁ ପ୍ରତ୍ୟାବର୍ତ୍ତନ କରି, କାରଖାନାର ପୁନର୍ନିମାଣ କରି ପୁନଃକାର୍ଯ୍ୟକ୍ଷମ କରିବୁ।

ଉଲ୍ଲେଖଯୋଗ୍ୟ, ‘ଅଜୋଭସ୍ତାଲ୍‌’ ହେଉଛି ‘ମେଟିନ୍‌ଭେଷ୍ଟ୍‌ ଗ୍ରୁପ୍‌’ର ଅଂଶବିଶେଷ। ଏହି ଗ୍ରୁପ୍‌କୁ ନିୟନ୍ତ୍ରଣ କରନ୍ତି ୟୁକ୍ରେନ୍‌ର ସବୁଠୁ ଧନାଢ଼୍ୟ ବ୍ୟକ୍ତି ରିନତ୍‌ ଅଖ୍‌ମେତୋଭ୍‌। ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଆଜି ଯୁଦ୍ଧ ୨୫ ଦିନରେ ପ୍ରବେଶ କରିଥିବା ବେଳେ ବିଜୁଳି, ଜଳ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ନ ଥିବା ମାରିଉପୋଲ୍‌ର ରାସ୍ତାଘାଟରେ ଏବେ ଭୀଷଣ ଲଢ଼େଇ ଚାଲିଛି। ରୁଷୀୟ ସୈନିକମାନେ ଅଧିକୃତ ମାରିଉପୋଲ୍‌ର୍‌ ଅଧିକ ଅଭ୍ୟନ୍ତରକୁ ଅଗ୍ରସର ହେଉଛନ୍ତି।

ad-week
Leave A Reply

Your email address will not be published.