୨ଟି ପୃଥକ ମୋଟର ସାଇକେଲ ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ

add-all


ହିଞ୍ଜିଳିକାଟୁ (୩/୪) : ରବିବାର ହିଞ୍ଜିଳି ଥାନା ଅଞ୍ଚଳରେ ୨ଟି ପୃଥକ ମୋଟର ସାଇକେଲ ଦୂର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ହିଞ୍ଜିଳି ଥାନା ପିତଳ ଗ୍ରାମର ବି. ହରିଶ (୧୬), ତହର ଗ୍ରାମର ରୁଦ୍ରସେନ ପାଠି (୧୭), ବ୍ରହ୍ମପୁର ସଦର ଥାନା ସାତପାଣ୍ଡିଆ ଗ୍ରାମର ବୁଲୁ ପାତ୍ର (୬୨) ଓ ତାଙ୍କ ପୁଅ ସମିଲ ପାତ୍ର (୩୧) ।
ପ୍ରକାଶ ଯେ, ରବିବାର ଅପରାହ୍ନରେ ପିତଳ ଛକରୁ ହରିଶ ଓ ରୁଦ୍ର ଏକ ବଜାଜ ବକ୍ସର (ଓଆର୦୭ଇ ୯୪୧୧) ମୋଟର ସାଇକେଲ ଯୋଗେ ପିତଳ ଗାଁ କୁ ଭୋଜିକୁ ଯାଉଥିବା ବେଳେ ଗାଁ ରାସ୍ତା ମଝିରେ ଭାରସାମ୍ୟ ହରାଇ ରାସ୍ତା ପ୍ବାର୍ଶ୍ବ ଏକ ଗାଡଓ୍ବାଲକୁ ଧକ୍କା ଦେଇ ବିଲ ଭିତରକୁ ଖସି ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ବାଇକ୍ କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଅନୁରୂପ ଭାବେ ଅପରାହ୍ନ ପ୍ରାୟ ସାଢେ଼ ୪ ଘଣ୍ଟା ସମୟରେ ବ୍ରହ୍ମପୁର ସଦର ଥାନା ସାତପାଣ୍ଡିଆ ଗ୍ରାମର ବୁଲୁ ଓ ତାଙ୍କ ପୁଅ ସମିଲ (୩୧) ମୋଟର ସାଇକେଲ ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମ ନିକଟରେ ମୋଟର ସାଇକେଲ ସମ୍ମୁଖକୁ ଏକ ସାପ ଆସିଯିବାରୁ ଭାରସାମ୍ୟ ହରାଇ ବାପା,ପୁଅ ବାଇକ୍ ରୁ ଖସିପଡି ଏକ ପଥରଗଦା ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ad-week
Leave A Reply

Your email address will not be published.