କାହା ଛତ୍ର ଛାୟା ତଳେ ପ୍ରଧାନ ଶିକ୍ଷକ : ନାଲି ଫିତା ତଳେ ଦବି ଯିବନି ତ ପିତାମାତା ଙ୍କ କରୁଣ କ୍ରନ୍ଦନ.. !!

add-all

ଖଇରପୁଟ //ମାଲକାନଗିରି : ଗତ ୧୫ ମେ ୨୦୨୨ ରବିବାର ବିଳମ୍ବିତ ରାତ୍ର ପ୍ରାୟ ୧୧.୩୦ ରେ ଶ୍ରୀଧର ନାମକ ଏକ କଅଁଳ ଶିଶୁର କ୍ରନ୍ଦନ ଶେଷ ଥର ପାଇଁ ପ୍ରକମ୍ପିତ ହୋଇଥିଲା ନନ୍ଦିନୀଗୁଡ଼ା ଛାତ୍ରାବାସରେ । ସନ୍ଧ୍ୟା ୮.୩୦ରୁ ରାତି ୧୧.୩୦ ପର୍ଯ୍ୟନ୍ତ ଦୀର୍ଘ ୩ଘଣ୍ଟା ଧରି ମୃତ୍ୟୁ ସହ ଅହରହ ଯୁଦ୍ଧ କରି ଶେଷରେ ଚିର ଦିନ ପାଇଁ ନୀରବୀ ଗଲା ଏକ ନିରୀହ ଜୀବନ । ସମ୍ବେଦନ ହୀନ ବିଦ୍ୟାଳୟ ପ୍ରଶାସନ ବର୍ତ୍ତମାନ ନିଜ ଅପାରଗତାକୁ କେତେବେଳେ ପରିମାର୍ଜିତ କରି ଗଣମାଧ୍ୟମ ସାମ୍ନାରେ ନିଜକୁ ଠିକ୍ ପ୍ରମାଣିତ କରିବାରେ ବ୍ୟସ୍ତ ତ ଆଉ କେତେବେଳେ ଛାତ୍ରାବାସର ଅନ୍ୟ ଶିଶୁ ମାନଙ୍କୁ ମିଥ୍ୟା ପ୍ରରୋଚନାକୁ ବାଧ୍ୟତା ମୂଳକ ଭାବେ ପରିପ୍ରକାଶ କରାଇ ମିଥ୍ୟାକୁ ସତ୍ୟର ରୂପରେଖ ଦେବାରେ ପ୍ରୟାସ ଜାରି । ସେପଟେ (P.A.) I.T.D.A. ତଥା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ କରି ତଦନ୍ତ ପ୍ରକ୍ରିୟା ଜାରି ରହିଛି,କୌଣସି ତଥ୍ୟ କୌଣସି ସୂଚନା ସାର୍ବଜନୀନ କରାଯାଇପାରିବ ନାହିଁ କହି କମନୀୟ ଢ଼ଙ୍ଗରେ ଉତ୍ତର ରଖି ନିଜକୁ ପ୍ରଶ୍ନ ଗୁଚ୍ଛଠାରୁ ମୁକ୍ତ କରିଦେଇଛନ୍ତି । ଅନ୍ୟ ପକ୍ଷରେ ଏଯାବତ୍ ମୃତ ଶରୀରର ବ୍ୟବଚ୍ଛେଦ ରିପୋର୍ଟ ନା ଡ଼ାକ୍ତରଖାନା କର୍ତ୍ତୃପକ୍ଷ ସାର୍ବଜନୀନ କରୁଛନ୍ତି ନା ପୋଲିସ୍ ପ୍ରଶାସନ l ଏକ ଅପରାଧିକ ମାମଲା ରୁଜୁ କରିବା ଛଡ଼ା ଆଉ କୌଣସି ଆଖି ଦୃଶୀୟା ପଦକ୍ଷେପ ନିଆଯାଇ ନାହିଁ । ବରଂ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ପ୍ରାୟ ୧୫/୨୦ ଦିନ ଲାଗିଯିବ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆକସ୍ମିକ ମୃତ୍ୟୁକୁ ନେଇ ଶୋକାକୁଳ ଶ୍ରୀଧରଙ୍କ ପରିବାର ବର୍ଗ ସ୍ତବ୍ଧ ଜନ୍ମମାଟି ନୀଳାପାରି । ପରିବାର,ପରିଜନ, ବନ୍ଧୁବର୍ଗଙ୍କ ଅନେକ ଆଶା ଥିଲା ଯେ ଘର ଠାରୁ ଦୂରରେ ରହିଲେ କ’ଣ ହେଲା ପୁଅ ଆମର ପାଠ ପଢ଼ିବ,କାଳିଆ ଘୋଡ଼ାରେ ଚଢ଼ିବ,ମଧୁବାବୁ ସାଙ୍ଗେ ଲଢ଼ିବ ତେଣେ ଗାଁ ଲୋକଙ୍କ ଅନେକ ସ୍ବପ୍ନ ଯେ ମଳି ମୁଣ୍ଡିଆ ଆଦିବାସୀ ଗାଁର ପୁଅ ବାହାରେ ରହି ଭଲ ପାଠ ପଢ଼ିବ, ଗାଁ ର ମୃତବତ୍ ଶିକ୍ଷା ବ୍ୟବସ୍ଥାକୁ ସୁଧାରି ଦିନେ ବଡ଼ ହାକିମ ହେବ ଆଉ ଆମ ଗାଁ ର ନାଆ ରଖିବ । କିନ୍ତୁ ସବୁ ଆଶା ସବୁ ଆକାଂକ୍ଷା ଧୂଳିସାତ ହେଇଯାଇଛି । ଏଭଳି ପରିପ୍ରେକ୍ଷୀରେ ଶ୍ରୀଧରର ମର ଶରୀର ପଚାରୁଛି ‘ଶବକୁ ନ୍ୟାୟ ମିଳିବ କେବେ !!??’ । ତେବେ ଘଟଣାରେ ତଦନ୍ତ ସାପେକ୍ଷ ଯେ,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ନାରାୟଣ ନାୟକ ଖୋଲା ଖୋଲି ପ୍ରଶାସନ ତଥା ସବୁ ପ୍ରକାର ନିୟମ କଟକଣାକୁ ଉଲ୍ଲଂଘନ କରି ଅବା ପାଦରେ ଏଡ଼ାଇ ଦେଇ କୌଣସି ଶିକ୍ଷକଙ୍କୁ ଦାୟିତ୍ବଭାର ପ୍ରଦାନ ନ କରି ଘଟଣା ଘଟିଥିବା ଦିନ ସକାଳ ୮.୦୦ ରୁ ପାରିବାରିକ ସମସ୍ୟା ଦର୍ଶାଇ କିଭଳି ଛାତ୍ରାବାସ ପରିତ୍ୟାଗ କରି ପାରିଲେ ? ଏହା ସହ ଛାତ୍ରାବାସ ପରିଚାଳନା ଦାୟିତ୍ବରେ ଥିବା ସହକାରୀ ଶିକ୍ଷକ ଶ୍ରୀମତୀ ସଙ୍ଗୀତା ବିଶ୍ବାସ କେଉଁ ପରିପ୍ରେକ୍ଷୀରେ ବିଦ୍ୟାଳୟ ତଥା ଛାତ୍ରାବାସ ହତା ଠାରୁ ପ୍ରାୟ ୫କି.ମି. ଅନତୀଦୂର ରେ ଥିବା ଏକ ସହରରେ ରହି ଆସୁ ଥିଲେ ? ସବୁଠାରୁ ସଙ୍ଗୀନ ମାମଲା ଯେ ମେଟ୍ରନ ପ୍ରୀୟବାଳା ମଜୁମଦାରଙ୍କ ଉପସ୍ଥାନ ରେଜିଷ୍ଟରରେ ହୋଇଥିବା ସ୍ୱାକ୍ଷରରେ ଏକ ବିରାଟ ତଫାତ୍ ବା ତାରତମ୍ୟ । ପ୍ରଶ୍ନ ଉଠୁଛି ଉପରୋକ୍ତ ସମସ୍ତ ପ୍ରକ୍ରିୟା ଖଇରପୁଟ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଯଯାତୀ ବେହେରାଙ୍କ ଦୃଷ୍ଟି ଆଢ଼ୁଆଳରେ ସଂଗଠିତ ହେଉଥିଲା ନା ଦୃଷ୍ଟି ଗୋଚର ହେବା ସତ୍ତ୍ଵେ କାଗଜ କଲମରେ ସବୁ କିଛି ସ୍ଵାଭାବିକ କରି ଦିଆଯାଉଥିଲା ? ଘଟଣା ଘଟିବାର ଦୀର୍ଘ ଚାରି ଦିନ ବିତି ଯାଇଥିବା ସତ୍ତ୍ଵେ ଜିଲ୍ଲା ମଙ୍ଗଳ ଅଧିକାରୀ କାହିଁକି କୌଣସି ଆଖି ଦୃଶୀୟା ପଦକ୍ଷେପ ନେଉ ନାହାନ୍ତି ? କାହିଁକି ତଦନ୍ତ ଆଢୁଆଳରେ ଘଟଣାରେ ଲିପ୍ତ ଥିବା ତଥା ଦାୟିତ୍ବ ଖିଲାପ୍ କରିଥିବା କର୍ମଚାରୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ? ତାହା ସନ୍ଦେହ ବଳୟ କୁ ଟାଣି ହେଉଛି
ଏତେ ସବୁ ପ୍ରଶ୍ନ ପଛରେ William E.Gladstone ଙ୍କ ଏକ ଆପ୍ତ ବାକ୍ୟର ପ୍ରୟୋଜନୀୟତା ମନେ ହୁଏ ଯେ,”Justice delayed is justice denied.” ଅର୍ଥାତ୍”ବିଳମ୍ବିତ ନ୍ୟାୟ,ଅନ୍ୟାୟ ଅଟେ ।”
ସର୍ବୋପରି ବିଦ୍ୟାଳୟ କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ମଧ୍ୟରେ ରକ୍ଷା କରାଯାଉଥିବା ସମନ୍ୱୟ କେବେ ଶ୍ରୀଧରର ପରିବାରକୁ ନ୍ୟାୟ ପ୍ରଦାନ କରିବାରେ ସହାୟ ହେବ ତାହା ଦେଖିବାକୁ ବାକି ରହିଲା। ନା ଏହା ମଧ୍ୟ ସରକାରୀ ନାଲି ଫିତା ତଳେ ଦବାଇ ଦିଆଯିବ ତାହା ସମୟ କହିବ..! ଏହା ଏକ ସ୍ପର୍ଶ କାତର ବିଷୟ ହୋଇଥିବା ସତ୍ୱେ ଜିଲ୍ଲା ପ୍ରଶାସନ ର ପାରିବା ପଣ ଆଜି ବାଟରୁ ଯାଇ ହାଟରେ ପଡ଼ିଲାଣି ତେଣୁ ଏହି ପରିପେକ୍ଷି ରେ ରାଜ୍ୟ ସରକାର ଏହାକୁ ଗୁରୁତର ସହିତ ବିଚାର କୁ ନେଇ ଦୋଷୀ ବିରୋଧ ରେ ଉପଯୁକ୍ତ ପଦକ୍ଷେପ ନେବାକୁ ଅଞ୍ଚଳର ବୁଦ୍ଧି ଜୀବି ତଥା ଜନ ସାଧାରଣ ଦାବି କରୁଛନ୍ତି l

ad-week
Leave A Reply

Your email address will not be published.