୧୪ ବର୍ଷର ପୁଅ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ

add-all

ଭବାନୀପାଟଣା: ଦାଦନ ଦୁଃଖର କରୁଣ କାହାଣୀ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ। ପିପଲଝାପର ଗାଁର ଦୁର୍ଯ୍ୟୋଧନ ବିଷିଙ୍କ ୧୪ ବର୍ଷର ପୁଅ ସୋମନାଥ ବିଷି ନିଜ ଗାଁ ନିକଟରେ ଥିବା ଗୋତମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ଭଲ ପାଠପଢ଼ୁଥିଲା। ପରିବାରର ଅଭାବ ଅନଟନକୁ ଦେଖି ଗତ ୬ ମାସ ତଳେ ବାପାଙ୍କ ସହ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀ ପକ୍ଷରୁ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ପ୍ରତ୍ୟେକ ଦିନ ବାପାଙ୍କ ସହ କାମ କରିବାକୁ ଯାଆନ୍ତି ସୋମନାଥ। ପ୍ରତ୍ୟେକ ଦିନ ଭଳି ଗତ କାଲି ମଧ୍ୟ ବାପାଙ୍କ ସହ ମିଶି କାମକୁ ଯାଇଥିଲେ। ସେଠାରେ କାମ କରିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ପରେ ସୋମନାଥଙ୍କ ବାପା ଓ ସାଥି ଶ୍ରମିକ ତାଙ୍କୁ ସ୍ଥାନୀୟ ମେଡ଼ିକାଲକୁ ନେଇଥିଲେ। ହେଲେ ସେଠାରେ ତାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହ ଗାଁକୁ ପଠାଇ ଦିଆଯାଇଛି।

ମୃତଦେହ ଗାଁରେ ପହଞ୍ଚିବା ପରେ କାନ୍ଦବୋବାଳିରେ ପାଠି ପଢ଼ିଛି ଗାଁ ଦାଣ୍ଡ। ସୋମନାଥ ପାଠ ପଢ଼ୁଥିବା ସ୍କୁଲରେ ମଧ୍ୟ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡ଼ିଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ଦାଦନ ଖଟିବାକୁ ଯାଉଛନ୍ତି। କରୋନା ସମୟରେ ସ୍କୁଲ ବନ୍ଦ କରି କାମ ସାରିଦେଇଥିଲେ ସରକାର। କିନ୍ତୁ ଗାଁ ଛାତ୍ରଛାତ୍ରୀମାନଙ୍କ ପ୍ରତି ଦୃଷ୍ଟି ଦେଇନଥିଲେ। ଯାହା ଫଳରେ ହଜାର ହଜାର ଛାତ୍ରଛାତ୍ରୀ ଦାଦନ ମୁହାଁ ହୋଇଥିଲେ। ଯାହା ଏହି ଘଟଣାକୁ ଦେଖି ବେଶ ବାରି ହୋଇ ପଡୁଛି। ଛାତ୍ର ଦାଦନ ଗଲେ ଶବ ହୋଇ ଫେରିଲେ। ତେବେ ଏ ଦିଗରେ ଜିଲ୍ଲା ଶ୍ରମ ବିଭାଗ ଓ ପ୍ରଶାସନ ଆଗକୁ କଣ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବା ବାକି ରହିଲା।

ad-week
Leave A Reply

Your email address will not be published.