ପାରାଦୀପରେ ଫାଟିଲା ଅଶୋଧିତ ତୈଳ ପାଇପ୍‌ ଲାଇନ

add-all

ପାରାଦୀପ: ଜଗତସିଂପୁର ଜିଲା ପାରାଦୀପ ହଳଦିଆ ବୌରେଣି ଅଶୋଧିତ ତୈଳ ପାଇପ୍‌ ଲାଇନରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ପାରାଦୀପର ତୈଳ ବିଶୋଧନାଗାର ଟାଉନସିପ୍‌ ସମ୍ମୁଖ ନିହାରୁଣୀ ପାଖରେ ଏକ ପାଇପ୍‌ ଲାଇନ ଫାଟିଯିବାରୁ ବିପୁଳ ପରିମାଣର ତୈଳ ମାଟିରେ ମିଶି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।

ଖବର ପାଇ ପାଇପ୍‌ ଲାଇନ ପ୍ରକଳ୍ପ ଅଧିକାରୀ ଓ ବିଶୋଧନାଗାର ଅଗ୍ନିଶମ ବିଭାଗ ଟିମ୍‌ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ପାଇପ୍‌ ଲାଇନକୁ ମରାମତି କରିବା ସହ ନିର୍ଗତ ହୋଇଥିବା ତେଲକୁ ବନ୍ଦ କରିଛନ୍ତି।

ପରେ ନିର୍ଗତ ତେଲକୁ ସ୍ପଞ୍ଜ ଜରିଆରେ ଉଦ୍ଧାର କରାଯାଉଛି। ପାଇପ୍‌ ଲାଇନ ଫାଟିବାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଇଣ୍ଡିଆନ ଅଏଲ୍‌ ପାଇପ୍‌ ଲାଇନ ସିଜେଏମ୍‌ ଅଶୋକ ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦୁର୍ଘଟଣା ପରେ ତୈଳ ଯୋଗାଣ ବନ୍ଦ ରଖିଛୁ। ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଚାଲିଛି। ପାଇପ୍‌ ଫାଟିବା ସମ୍ପର୍କରେ ଯାଞ୍ଚ କରାଯାଉଛି। ନିର୍ଗତ ହୋଇଥିବା ତେଲ ସମ୍ପର୍କରେ ସଠିକ୍‌ ତଥ୍ୟ ମିଳିପାରି ନାହିଁ। ତଥାପି ୧୫ ହଜାରରୁ ଅଧିକ ଲିଟର ତୈଳ ନଷ୍ଟ ହୋଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ବିଦେଶରୁ ଅଶୋଧିତ ତୈଳ ଆମଦାନୀ ହୋଇ ପାଇପ ଲାଇନ୍‌ ଯୋଗେ ପାରାଦୀପ ଭଣ୍ଡାରରେ ଗଚ୍ଛିତ ରୁହେ। ଏଠାରୁ ୩ଟି ରିଫାଇନାରୀକୁ ପାଇପ୍‌ ଲାଇନ ଯୋଗେ ଯାଇଥାଏ। ପାରାଦୀପ ରିଫାଇନାରୀ ବ୍ୟତୀତ କୋଲକତାର ହଳଦିଆ ଓ ବିହାର ବୌରେଣି ରିଫାଇନାରୀକୁ ଯାଇଥାଏ। ଏହି ପାଇପ୍‌ ଲାଇନ ପ୍ରକଳ୍ପ ୧୯୯୯ରୁ ଆରମ୍ଭ ହୋଇ ୨୦୦୯ରେ ଶେଷ ହୋଇଥିଲା। ୧୪୪୭ କି.ମି ପାଇପ୍‌ ଲାଇନ ଯୋଗେ ଦୈନିକ ୨୨୦୦୦୦ ବ୍ୟାରେଲ ଓ ବାର୍ଷିକ ୧୧ ମିଲିୟନ ମେଟ୍ରିକ ଟନ୍‌ ତୈଳ ପାଇପ୍‌ ଲାଇନ ଯୋଗେ ଯାଇଥାଏ। ୨୦୦୯ରୁ ଏପର୍ଯ୍ୟନ୍ତ ୧୦ରୁ ଅଧିକ ଥର ଏମିତି ପାଇପ୍‌ ଲାଇନ ଫାଟି ତେଲ ନଷ୍ଟ ହୋଇଥିବା ସୂଚନା ରହିଛି।

ad-week
Leave A Reply

Your email address will not be published.