ନବରଙ୍ଗପୁରରେ ବିପର୍ଯ୍ୟସ୍ତ ବିଦ୍ୟୁତ୍ ସେବା: ବିଦ୍ୟୁତ୍ କାର୍ଯ୍ୟାଳୟ ଘେରିଲେ ଆଇନଜୀବୀ ସଂଘ, ଜିଲ୍ଲା ବଣିକ ସଂଘ ଓ ସାମ୍ବାଦିକ

youtube

ନବରଙ୍ଗପୁର : ନବରଙ୍ଗପୁର ଟାଟା ପାୱାର କମ୍ପାନୀ ବିଦ୍ୟୁତ୍ ବିତରଣ ପରିଚାଳନା ନେବାପରେ ଜିଲ୍ଲା ରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଦିନକୁ ଚାରି ରୁ ପାଞ୍ଚ ଘଣ୍ଟା ଅଘୋଷିତ ବିଦ୍ୟୁତ୍ କାଟ ହେଉଛି। ବର୍ଷା ପବନ କିଛି ନହେଲେ ମଧ୍ୟ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ ହେଉଛି। ଏ ସମ୍ବନ୍ଧରେ ଆଜି ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟକୁ ଜିଲ୍ଲା ଆଇନଜୀବୀ ସଂଘ, ଜିଲ୍ଲା ବଣିକ ସଂଘ ଓ ସାମ୍ବାଦିକ ମାନଙ୍କ ତରଫରୁ ଘେରାଉ କରାଯାଇଥିଲା। ଏକ ସ୍ମାରକପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇ ଏହାର ନକଲ ମୁଖ୍ୟମନ୍ତ୍ରୀ, ବିଦ୍ୟୁତ୍ ବିଭାଗ ମନ୍ତ୍ରୀ, ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ବିଦ୍ୟୁତ୍ କମିଟି ଙ୍କୁ ଦିଆଯାଇଥିଲା। ଜିଲ୍ଲା ରେ ଦୀର୍ଘ ତିରିଶି ରୁ ଚାଳିଶ ବର୍ଷ ହେଲା ବିଦ୍ୟୁତ୍ ଖୁଣ୍ଟ, ବିଦ୍ୟୁତ୍ ତାର ଓ ଟ୍ରାନ୍ସଫରମର ଗୁଡ଼ିକ ବଦଳାଯାଉନଥିବା, ଏହାର ରକ୍ଷଣାବେକ୍ଷଣ କରାଯାଉନଥିବା, ତୃଟିପୂର୍ଣ୍ଣ ବିଦ୍ୟୁତ୍ ବିଲ୍ ଦିଆଯାଉଥିବା, ଅଳ୍ପ ବିଲ୍ ବାକି ଥିଲେ ମଧ୍ୟ ଗ୍ରାହକଙ୍କୁ ଭୟ ଦେଖାଇ ଆଦାୟ କରାଯାଉଥିବା ଓ ଲାଇନ୍ କାଟି ଦିଆଯାଉଥିବା ସମ୍ବନ୍ଧରେ ଏହି ସ୍ମାରକପତ୍ର ରେ ଉଲ୍ଲେଖ ରହିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଇନ୍ଦ୍ରାବତୀ, ଉପର କୋଲାବ, ମାଛକୁଣ୍ଡ ଓ ବାଲିମେଳା ଠାରେ ଚାରିଟି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଥିଲେ ମଧ୍ୟ ପ୍ରତିଦିନ ବାରଂବାର ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ୟୁତ୍ କାଟ କରି ଜନସାଧାରଣ ଙ୍କୁ ଅନେକ ଅସୁବିଧା ସୃଷ୍ଟି କରୁଥିବାରୁ ଆଇନଜୀବୀ ମାନେ ନିର୍ବାହୀ ଯନ୍ତ୍ରୀ ଙ୍କ ଉପରେ ବର୍ଷିଥିଲେ । କୌଣସି ପ୍ରକାର ରକ୍ଷଣାବେକ୍ଷଣ କରାଯାଉନଥିବା ସତ୍ୱେ ଖାଲି କାଗଜପତ୍ରରେ ଦର୍ଶାଇ ଦୁର୍ନୀତି କରାଯାଉଥିବା ଅଭିଯୋଗ କରାଯାଇଛି। କିଛି ବର୍ଷା ପବନ ନଥିଲେ ମଧ୍ୟ ଲାଇନ୍ କଟୁଥିବାରୁ ସଂଗଠନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ଆବଶ୍ୟକତା ଠାରୁ କମ୍ ମେଗାୱାଟ ବିଦ୍ୟୁତ୍ ଗ୍ରୀଡ କୁ ମାଗି ଜିଲ୍ଲା ରେ ବିଦ୍ୟୁତ୍ କାଟ ହେଉଛି ଓ ଅନ୍ୟ ରାଜ୍ୟ କୁ ବେଆଇନ ଭାବେ ବିଦ୍ୟୁତ୍ ବିକ୍ରି ହେଉଥିବା ଅଭିଯୋଗ ସଂଘ ପକ୍ଷରୁ କରାଯାଇଛି । ବିଗତ ଦିନରେ ଇନଭର୍ଟର କମ୍ପାନୀ ଠାରୁ ବେଆଇନ ଲାଭ ପାଇଁ ଜିଲ୍ଲା ରେ ଜାଣିଶୁଣି ବିଦ୍ୟୁତ୍ କାଟ କରିବା ଅଭିଯୋଗରେ ନବରଙ୍ଗପୁର ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ଯୋଗୁଁ ବର୍ତ୍ତମାନ ର ବିଦ୍ୟୁତ୍ ବିଭାଗର କାର୍ଯ୍ୟଧାରାପ୍ରତି ଜନସାଧାରଣଙ୍କର ସନ୍ଦେହ ରହିଛି। ଅନ୍ୟ ପକ୍ଷରେ ବିଦ୍ୟୁତ୍ ଆଇନ ୨୦୦୩ ଓ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଗୁଣାତ୍ମକ ମାନ) ୨୦୦୪ ( ସଂଶୋଧିତ ନିୟମ ୨୦୧୯) ଅନୁଯାୟୀ ଗୁଣାତ୍ମକ ବିଦ୍ୟୁତ ସେବା ନଦେଲେ ଯୋଗାଣ କମ୍ପାନୀ ତରଫରୁ ପ୍ରତ୍ୟେକ ଗ୍ରାହକ ଙ୍କୁ ୨୦୦/- ରୁ ୫୦୦/- ଟଙ୍କା ହିସାବରେ କ୍ଷତିପୂରଣ ଦେବା ବ୍ୟବସ୍ଥା ରହିଛି, ଯାହାକି ଉକ୍ତ ସ୍ମାରକପତ୍ର ରେ ଦାବି କରାଯାଇଛି। ଏଥିପ୍ରତି ସମସ୍ତ ବିଦ୍ୟୁତ୍ ଗ୍ରାହକ ସଚେତନ ହୋଇ ନିଜ ନିଜର ଦାବି କର୍ତ୍ତୃପକ୍ଷ ଙ୍କ ନିକଟରେ ଉପସ୍ଥାପିତ କରିବାକୁ ସଂଘ ତରଫରୁ ଅନୁରୋଧ କରାଯାଇଛି। ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଅନୀଲ ଜ୍ୟୋତି ଚନ୍ଦ୍ର ଦୀନବନ୍ଧୁ, କୋଷାଧ୍ୟକ୍ଷ ବାଲାଜୀ ପ୍ରସାଦ ମିଶ୍ର, ବଣିକ ସଂଘ ସଭାପତି ସୁଶୀଲ ଜୈନ, ସମ୍ପାଦକ ପି. ଲିଙ୍ଗା ମୂର୍ତ୍ତି, ଉପ-ସଭାପତି ରାକେଶ ଗୁପ୍ତା, ପି. ଭି. ସତ୍ୟନାରାୟଣା, ଆଇନଜୀବୀ ନୀଳ ମାଧବ ଦଳେଇ, ଶ୍ରୀନିବାସ ପାତ୍ର, ଗଜପତି ପଟ୍ଟନାୟକ, ଇମାନୁଏଲ ସାମନ୍ତରାୟ, ପ୍ରଦୀପ ସାହୁ, ଦାମୋଦର ତ୍ରିପାଠୀ, ସୁରଜ ନାୟକ, ସନ୍ଦୀପ ମିଶ୍ର, ଶ୍ରୀକାନ୍ତ କୁମାର ପଣ୍ଡା, କିଶୋର କୁମାର ପଟ୍ଟନାୟକ, ଅନୀଲ ଦାଶ, ସାଇ ରାମ ସାମନ୍ତରାୟ ପ୍ରମୁଖ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରୁ ପ୍ରଦୀପ ପାଢ଼ୀ, ରବି ନାରାୟଣ ପଟ୍ଟନାୟକ, ଅଜିତ୍ ନାୟକ, ରାମ କିରଣ ପଟ୍ଟନାୟକ, ଶରତ ଦାଶ, ଆଦିତ୍ୟ ସାହୁ, ବାବୁଲା, ପ୍ରଶାନ୍ତ, ସୀମାଦ୍ରୀ ପଟ୍ଟନାୟକ, ଦେବଦାସ ମହାଙ୍କୁଡ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.