
ସୁନ୍ଦରଗଡ଼ (୦୬/୦୬) : ସୁନ୍ଦରଗଡ଼ର ବରିଷ୍ଠ ଆଇନଜୀବି, ରାଜନୀତିଜ୍ଞ ତଥା ଦକ୍ଷ କ୍ରୀଡ଼ା ସଂଗଠକ ଦୁଷ୍ମନ୍ତ କୁମାର ନାଏକ ଗତ କାଲି ଜୁନ୍ ୫ ତାରିଖ ପ୍ରାତଃ ୫ ଘଟିକା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ସେ କିଛିବର୍ଷରୁ କର୍କଟ ରୋଗରେ ପୀଡିତ ଥିଲେ ଓ ତାଙ୍କର ଚିକିତ୍ସା ଚାଲିଥିଲା l ତାଙ୍କ ଦେହାନ୍ତ ଖବର ପାଇ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦରେ ଶୋକାକୁଳ ପରିବେଶ ଛାଇ ଯାଇଥିଲା l ଖବର ପାଇଲା ପରେ ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ,ସହ ସମ୍ପାଦକ ଜୟଦେବ ପାତ୍ର, ଉପସଭାପତି ରାଜେନ୍ଦ୍ର ମହାନ୍ତି, ପୌଷ ଚନ୍ଦ୍ର ପଟେଲ୍, ଚିତ୍ତରଞ୍ଜନ ବହିଦାର ସଦସ୍ୟ ଶିଶିର ପଟେଲ, ବିଶ୍ୱରଂଜନ ହୋତା ପ୍ରମୁଖ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। l ତାଙ୍କୁ ମୃତ୍ୟୁ ବେଳକୁ ୬୫ ବର୍ଷ ବୟସ ହେଇଥିଲା। ତାଙ୍କର ପୈତୃକ ଗ୍ରାମ ସବଡେଗାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ତାଙ୍କ ସ୍ମୃତିରେ ଆଜି ତା ୬ – ୬ -୨୨ ରିଖ ସନ୍ଧ୍ୟା ଘ.୬. ୩୦ ମିନିଟ ସମୟରେ ଜ଼ିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟାଳୟ ପରିସରରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ୨ ମିନିଟର ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା l
ଏହି ଶ୍ରଦ୍ଧାଞ୍ଜଳି ସଭା ଜ଼ିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳଙ୍କ ନେତୃତ୍ୱରେ ସମ୍ପାଦନ ହୋଇଥିଲା। ଉକ୍ତ ସଭାରେ ଉପସଭାପତି ପୌଷ ଚନ୍ଦ୍ର ପଟେଲ୍, ରାଜେନ୍ଦ୍ର ମହାନ୍ତି , ସହ ସମ୍ପାଦକ ଜୟଦେବ ପାତ୍ର, ସଦସ୍ୟ ବିମଳ ବୋଷ,ଅଶ୍ଵିନୀ କୁମାର ଭୋଳ, ଶିଶିର ପଟେଲ୍, ସୁରଜ୍ ଭାଇଁସାଲ, ନିତ୍ୟ କୁମାର ବଳ, ରୋମାଞ୍ଚ ଭାଇଁସାଲ୍, ଅଜୟ କୁମାର ବହିଦାର ଏବଂ ବିଶ୍ୱରଂଜନ ହୋତା ଉପସ୍ଥିତ ଥିଲେ। ପ୍ରକାଶ ଯୋଗ୍ୟ ଯେ ସ୍ବର୍ଗତ ଦୁଷ୍ମନ୍ତ ନାଏକ ଜିଲ୍ଳା କ୍ରୀଡ଼ା ସଂସଦର ଜଣେ ପ୍ରାକ୍ତନ ଉପସଭାପତି ତଥା ନିର୍ମାଣ କମିଟିର ଅଧ୍ୟକ୍ଷ ଭାବରେ ଅନେକ ଦିନ ପର୍ଯ୍ୟନ୍ତ ଦାୟୀତ୍ବ ନିର୍ବାହ କରିଥିଲେ। ଜିଲ୍ଲା କ୍ରୀଡ଼ା ସଂସଦର ଉପସଭାପତି ଚିତ୍ତରଞ୍ଜନ ବହିଦାର ତାଙ୍କ ବକ୍ତବ୍ୟରେ ସ୍ବର୍ଗତ ନାଏକଙ୍କୁ ସହରର ଜଣେ ବିଶିଷ୍ଟ ବ୍ୟକ୍ତି ତଥା ଅପରାଧିକ ମାମଲାର ପ୍ରଖର ଓକିଲ ଭାବରେ ଅଭିହିତ କରି ତାଙ୍କର ଅନେକ ସାମାଜିକ ସଂସ୍ଥାରେ ସଂପୃକ୍ତିକୁ ବର୍ଣ୍ଣନା କରିଥିଲେ। କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ତାଙ୍କ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟରେ ସ୍ବର୍ଗତ ନାଏକଙ୍କୁ ଜଣେ ଦକ୍ଷ କ୍ରୀଡ଼ା ସଂଗଠକ ଭାବରେ ଅଭିହିତ କରି ସେ କ୍ରୀଡାର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଥିବା ପ୍ରକାଶ କରିବା ସହିତ ସୁନ୍ଦରଗଡ଼ ଜଣେ ଭୂମିପୁତ୍ରକୁ ହରାଇଲା ଯାହାକି ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଥିଲେ।