ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ କାର୍ଯ୍ୟକ୍ରମ, ଆଜି ଯିବେ ଦିଲ୍ଲୀ

add-all

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରମ୍ଭ ହେଲା ଦ୍ବିତୀୟ ବିଦେଶ ଗସ୍ତ କାର୍ଯ୍ୟକ୍ରମ। ସେଥିପାଇଁ ଆଜି ଦିଲ୍ଲୀ ଗସ୍ତ କରିବେ ନବୀନ। ସେ ଆଜି ଅପରାହ୍ନ ସାଢ଼େ ୧ଟାରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ। ସେଠାରେ ସେ ଦୁଇଦିନ ଅବସ୍ଥାନ କରିବା ପରେ ୨୦ ତାରିଖରେ ରୋମ୍ ଅଭିମୁଖେ ଯାତ୍ରା କରିବେ।

ମୁଖ୍ୟମନ୍ତ୍ରୀ ୧୩ ଦିନିଆ ବିଦେଶ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକାଳରେ ସେ ରୋମସ୍ଥିତ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମ ବା ୱାଲର୍ଡ ଫୁଡ୍ ପ୍ରୋଗ୍ରାମରେ ଓଡ଼ିଶାର ସଫଳତା କାହାଣୀ ଉପରେ ଆଲୋଚନା କରିବେ। ଏହା ସହିତ ଇଟାଲୀର ବିଭିନ୍ନ ସ୍ଥାନ ମଧ୍ୟ ସେ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋମ ଗସ୍ତ ସାରି ୨୬ ତାରିଖ ଅପରାହ୍ନ ୩ଟା ୨୫ରେ ଦୁବାଇ ଅଭିମୁଖେ ଗସ୍ତ କରିବେ। ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ସେ ଯୋଗ ଦେବେ।

୩୦ ତାରିଖ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ି ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ରାତି ୯ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ ଆସିବେ। ଭୁବନେଶ୍ବରରେ ସେ ସାଢ଼େ ୧୧ଟାରେ ପହଂଚିବେ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।

ମୁଖ୍ୟମନ୍ତ୍ରୀ ହେବା ପରଠାରୁ ନବୀନ ଗୋଟିଏ ଥର ବିଦେଶ ଗସ୍ତ କରିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଥିଲା। ସେ ବିଦେଶ ଗସ୍ତରେ ଥିବା ବେଳେ ତାଙ୍କର ଅତ୍ୟନ୍ତ ବିଶ୍ବସ୍ଥ ପ୍ୟାରୀମୋହନ ମହାପାତ୍ର ମୁଖ୍ୟମନ୍ତ୍ରୀ ହେବା ପାଇଁ ପ୍ରସ୍ତୁତି କରିଥିଲେ। ଏହି ଖବର ଜଣାପଡିବା ପରେ ନବୀନ ତାଙ୍କର ବିଦେଶ ଗସ୍ତର ଅଧାରୁ ଭୁବନେଶ୍ବର ଫେରିବାକୁ ପଡିଥିଲା। ବର୍ତ୍ତମାନ ନବୀନଙ୍କ ଏହା ହେଉଛି ଦ୍ବିତୀୟ ବିଦେଶ ଗସ୍ତ।

ad-week
Leave A Reply

Your email address will not be published.